ଭୁବନେଶ୍ୱର: ରିଷି ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ ତାଙ୍କର ଆଉ ଜଣେ ସାଙ୍ଗକୁ ପଚରାଉଚରା କରିଛି। ଏହା ପୂର୍ବରୁ ରିଷିଙ୍କ ୩ ଜଣ ସାଙ୍ଗଙ୍କୁ ପୋଲିସ ପଚରାଉଚରା କରିଥିଲା। ଅନ୍ୟପକ୍ଷରେ ରିଷି ମୃତ୍ୟୁକୁ ନେଇ କିଛି ତଥ୍ୟ ମିଳିଥିବା ଜଣାପଡିଛି।
ରିଷିଙ୍କ ସାଙ୍ଗ ଶୁଭମ୍ ଦାସ କହିଛନ୍ତି,“ରିଷି ଯେଉଁ ରୁମ୍ରେ ମୃତ୍ୟୁବରଣ କରିଥିଲା ତା’ର ପାଖ ରୁମ୍ରେ ଆମେ ଥିଲୁ। ସେଦିନ କ’ଣ କ’ଣ ଘଟିଥିଲା ସେ ସମ୍ପର୍କରେ ପୋଲିସ ପଚାରିଥିଲା। ଯାହା ଘଟିଥିଲା ସବୁ କହିଲି।”
ସେ କହିଛନ୍ତି,“ଝିଅର ଏଥିରେ ସମ୍ପୃକ୍ତି ଅଛି କି ନାହିଁ ମୁଁ ଜାଣିନାହାନ୍ତି। ହେଲେ ରିଷି ନିଶା ନେଉଥିଲା। ଏବେ ଯେଉଁ ଭିଡିଓ ଆସିଛି ମୁଁ ସେ ସମ୍ପର୍କରେ କିଛି ଜାଣିନାହିଁ। ଆଗରୁ କେବେ ମୁଁ ସେ ଭିଡିଓ ଦେଖି ନ ଥିଲି କି ଜାଣିନାହିଁ। ଭିଡିଓ ସହ ରିଷି ମୃତ୍ୟୁର କିଛି ଲିଙ୍କ ଥିବା ମୁଁ ଭାବୁନାହିଁ।”
ସେ କହିଛନ୍ତି,“ରିଷି ମୋର ଯୁକ୍ତଦୁଇ ବେଳର ସାଙ୍ଗ। ଝିଅ ସହ ତା’ର ସମ୍ପର୍କ ଯୁକ୍ତଦୁଇ ବେଳରୁ ଥିଲା। ସେ ଆମ ସହ ରହୁ ନ ଥିଲା। ଘଟଣା ଦିନ ସେ ଆସିଥିଲା। ଆମେ ୫ ଜଣ ସାଙ୍ଗ ଗୋଟିଏ ରୁମ୍ରେ ଥିଲୁ ଓ ରୋଷେଇ କରୁଥିଲୁ। ରିଷି ଓ ଆଉ ଜଣେ ସାଙ୍ଗ ନନ୍ଦ ପାଖ ରୁମ୍ରେ ଡ୍ରଗ୍ସ ନେଇଥିଲେ। ରାତି ପ୍ରାୟ ୨ଟାରେ ଶୋଇଥିଲୁ। ସେ ସକାଳୁ ଉଠି ନ ଥିଲା। ଆମେ ଭାବିଥିଲୁ ଡେରିରେ ଶୋଇଛି ବୋଲି ବୋଧ ହୁଏ ଉଠୁନାହିଁ, ତେଣୁ ଡାକି ନ ଥିଲୁ। ତା’ର ଉଠିବାରେ ବିଳମ୍ବ ହେବାରୁ ଡାକିଥିଲୁ, ହେଲେ ସେ ଉଠି ନ ଥିଲା। ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ମେଡିକାଲ ନେଇଥିଲୁ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।”
ଗତକାଲି ତଦନ୍ତ ତ୍ୱରାନ୍ୱିତ କରିବାକୁ ରିଷିଙ୍କ ମାଆ ଖଣ୍ଡଗିରି ଥାନାରେ ଆବେଦନ କରିଥିଲେ। ରିଷିଙ୍କୁ କିଏ ମାରିଛି ସେ ନେଇ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ତାଙ୍କ ମାଆ ଦାବି କରିଛନ୍ତି। ଏହାସହ ରିଷିଙ୍କ ସାଙ୍ଗ, ବାନ୍ଧବୀ ଓ ରୁମ୍ମେଟ୍ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏତଲାରେ ତାଙ୍କ ମାଆ ଦର୍ଶାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।