ପ୍ଲାଷ୍ଟିକ୍‌ ଆବର୍ଜନାରେ ସମୁଦ୍ରକୁ ଭରୁଛନ୍ତି ଏହି ୧୦ଟି ନଦୀ: ଜାଣନ୍ତୁ ‘ଗଙ୍ଗା’ କେଉଁ ସ୍ଥାନରେ ଅଛି

ନୂଆଦିଲ୍ଲୀ: ପ୍ରଦୂଷଣ ଏବେ ଜୀବସତ୍ତ୍ୱାର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତେ ମାତ୍ରରେ ପ୍ରଦୂଷଣ ବଢ଼ି ଚାଲିଛି ଯେ, ସ୍ୱଚ୍ଛ ବାୟୁ ମଧ୍ୟ ଟିକେ କେଉଁଠି ପାଇବା ସମ୍ଭବ ହେଉନାହିଁ। କେବଳ ବାୟୁ ନୁହେଁ, ଜଳ ପ୍ରଦୂଷଣ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଶେଷ କରି ସମୁଦ୍ରରେ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି। ସମୁଦ୍ରରୁ ମିଳୁଥିବା ଆବର୍ଜନାରେ ଅଧିକ ପରିମାଣରେ ପ୍ଲାଟିକ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମୁଦ୍ରରେ ଏହି ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ୧୦ଟି ନଦୀ ଅତି ପରିମାଣରେ ଦାୟୀ। ସମୁଦ୍ରରେ ପଡ଼ୁଥିବା ପ୍ଲାଷ୍ଟର ୯୦ ପ୍ରତିଶତ ଏହି ୧୦ଟି ନଦୀ ଦେଇ ଆସିଥାଏ। ଏହି ତାଲିକାରେ ଭାରତର ଦୁଇଟି ନଦୀ ଗଙ୍ଗା ଓ ସିନ୍ଧୁ ରହିଛି। ସବୁଠାରୁ ଅଧିକ ଚୀନର ୬ଟି ନଦୀ ଏହି ତାଲିକାରେ ରହିଛି। ଗଙ୍ଗା ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସିନ୍ଧୁ ଷଷ୍ଠ ସ୍ଥାନରେ ରହିଛି।

ସମୁଦ୍ରକୁ ପ୍ଲାଷ୍ଟିକରେ ପ୍ରଦୂଷିତ କରୁଥିବା ନଦୀ ମାନଙ୍କ ମଧ୍ୟରେ ଆଗରେ ରହିଛି ଚୀନ୍‌ର ୟଙ୍ଗତେଜ୍‌। ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଚୀନ୍‌ର ୟେଲୋ ଏବଂ ପର୍ଲ ରହିଛନ୍ତି। ଋଷ ଓ ଚୀନ୍‌ ଦେଇ ଯାଇଥିବା ଏମର ନଦୀ ପଞ୍ଚମ ସ୍ଥାନରେ ରହିଛି। ସିନ୍ଧୁ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଚୀନ୍‌ର ମିକାଙ୍ଗ ଓ ହେ ହୋ ନଦୀ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ନବମ ଓ ଦଶମ ସ୍ଥାନରେ ଆଫ୍ରିକାର ନୀଲ ଓ ନାଇଜର ନଦୀ ଅଛନ୍ତି। ଏହି ୧୦ଟି ନଦୀ ଦେଇ ପ୍ରତିବର୍ଷ ସମୁଦ୍ରକୁ ୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଯାଉଛି।