ରାଉରକେଲା ପୂର୍ବତନ ବିଜେଡି ବିଧାୟକଙ୍କ ନାଁରେ ଟଙ୍କା ବାଣ୍ଟିବା ଅଭିଯୋଗ

ରାଉରକେଲା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଉରକେଲା ପୂର୍ବତନ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ଅର୍ଥ ଦେଇ ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଝରିପାଣି ଥାନାରେ ଅଭିଯୋଗ ହୋଇଛି।

ଗତକାଲି ବିଳମ୍ୱିତ ରାତିରେ ସାରଦା ଓ ତାଙ୍କ ସମର୍ଥକମାନେ ଝରିପାଣି ପଞ୍ଚାୟତରେ ଟଙ୍କା ବାଣ୍ଟୁଥିବା ବେଳେ କେତେକ ଗାଁ ଲୋକ ସେମାନଙ୍କୁ ଘେରାଉ କରିଥିଲେ। ଏପରିକି ସେଠାରେ ଗାଁ ଲୋକ ଓ ସାରଦାଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏନେଇ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଝରିପାଣି ପଞ୍ଚାୟତର ଜଣେ ବ୍ୟକ୍ତି କହିଛନ୍ତି,“ଗତକାଲି ସାରଦା ଓ ତାଙ୍କ ସମର୍ଥକମାନେ ଘରକୁ ଘର ବୁଲି ଲୋକଙ୍କୁ ପଇସା ବାଣ୍ଟୁଥିଲେ। ଏନେଇ ଆମେ ଥାନାକୁ ଖବର ଦେଇଥିଲୁ। ପୋଲିସ ବିଳମ୍ୱରେ ଗାଁରେ ପହଞ୍ଚିବାରୁ ସାରଦା ଓ ତାଙ୍କ ସମର୍ଥକମାନେ ଆମକୁ ଧସ୍ତାଧସ୍ତି କରିଥିଲେ।”

ସୂଚନା ଯୋଗ୍ୟ, ଆଜି ଝରିପାଣି ପଞ୍ଚାୟତରେ ମତଦାନ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।