ରୋଜଭ୍ୟାଲି ଚିଟଫଣ୍ଡ୍ ଠକେଇ: କଂପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ କୋଲକତା ଜେଲରେ ଥିବା ରୋଜଭ୍ୟାଲି କଂପାନୀର ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ରିମାଣ୍ଡରେ ଆଣିବା ପରେ ତାଙ୍କୁ ସିବିଆଇ ରବିବାର ଦିନ କଡ଼ା ସୁରକ୍ଷା ମଧ୍ୟରେ କୋଲକତାରୁ ଭୁବନେଶ୍ୱର ଆଣିଛି। ତାଙ୍କୁ ଭୁବନେଶ୍ୱରରେ ସିବିଆଇର ଏସଆଇଟି ୟୁନିଟରେ ରଖାଯାଇଛି। ଆସନ୍ତାକାଲି ତାଙ୍କୁ ସିବିଆଇର ସ୍ପେଶାଲ ସିଜେଏମ୍ କୋର୍ଟରେ ହାଜର କରାଯିବ। ତାଙ୍କୁ ୭ ରୁ ୧୦ ଦିନ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟଙ୍କ ନିକଟରେ ଦାବି କରିବ ବୋଲି ଜଣାପଡ଼ିଛି।

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରି ସାରିଛି। ଏହି କଂପାନୀ ବିଭିନ୍ନ ସ୍କିମରେ ସାରା ଦେଶରେ ଲୋକଙ୍କଠାରୁ ୧୭ ହଜାର କୋଟି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଓଡ଼ିଶାରୁ କଂପାନୀ ପ୍ରାୟ ୫୦୦ କୋଟି ଟଙ୍କା ହଡ଼ପ କରିଛି।

୨୦୧୫ ମାର୍ଚ୍ଚ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା।