‘ରୂପେ’ କାର୍ଡ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: କିଷାନ କ୍ରେଡିଟ୍‌ କାର୍ଡକୁ ‘ରୂପେ’ କିଶାନ କାର୍ଡରେ ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ଏହାକୁ ଲାଗୁ କରିବାକୁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚା ସୁଦ୍ଧା ୧୧,୪୦,୦୦୦ ଚାଷୀଙ୍କୁ ରୂପେ କିଶାନ କାର୍ଡ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଫଳରେ ଚାଷୀମାନେ ଏଟିଏମ୍‌ ମାଧ୍ୟମରେ ଆର୍ଥିକ କାରବାର କରିପାରିବେ।

ବିମୁଦ୍ରାକରଣ ପରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ କିଷାନ କ୍ରେଡିଟ୍‌ କାର୍ଡକୁ କେନ୍ଦ୍ର ସରକାର ‘ରୂପେ’ କିଶାନ କାର୍ଡରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଚାଷୀଙ୍କୁ ଟଙ୍କା ଉଠାଇବା ପାଇଁ ଆଉ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହେବାକୁ ପଡିବ ନାହିଁ। ଏଟିଏମ୍‌ରୁ ଏବେ ସେମାନେ ଏହି କାର୍ଡ ଦ୍ୱାରା ଟଙ୍କା ଉଠାଇ ପାରିବେ।

ରୂପେ କିଶାନ କାର୍ଡରେ ଲାଗିଛି ମାଇକ୍ରୋ ଚିପ୍‌। ଏଥିରେ ଚାଷୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କରେ ଏବେ ସୁଦ୍ଧା ୪୪ ଲକ୍ଷ ଓ ବ୍ୟବସାୟୀକ ବ୍ୟାଙ୍କରେ ୯ ଲକ୍ଷ କିଷାନ କ୍ରେଡିଟ୍‌ କାର୍ଡ ଇସ୍ୟୁ କରାଯାଇଛି। ଏସବୁ କାର୍ଡକୁ ଆସନ୍ତା ଜୁନ ସୁଦ୍ଧା ‘ରୂପେ’ କିଶାନ କାର୍ଡରେ ବଦଳାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାହା କାର୍ଯ୍ୟକାରୀ ହେବା ପରେ ସୁବିଧା, ଅସୁବିଧା ଜଣାପଡିବ। ଏବେ କିଛି କହିବା ଠିକ ହେବ ନାହିଁ।”

ଓଏସ୍‌ସିବି ଏମ୍‌ଡି ତୁଷାରକାନ୍ତ ପଣ୍ଡା କହିଛନ୍ତି,“କେବଳ ସମବାୟ ବ୍ୟାଙ୍କ ନୁହେଁ ସମସ୍ତ ଏଟିଏମ୍‌ରୁ ଚାଷୀମାନେ ଟଙ୍କା ଉଠାଇ ପାରିବେ। ୨୭୦୮ଟି ସମିତିକୁ ପିଓଏସ୍‌ (ପଏଣ୍ଟ ଅଫ୍‌ ସେଲ୍‌) ମେସିନ ଯୋଗାଇ ଦେବୁକୁ ପଦକ୍ଷେପ ନେଉଛୁ। ଏହି ମେସିନରେ ଚାଷୀମାନେ ସୀମିତ ପରିମାଣର ଟଙ୍କା କାର୍ଡ ଦ୍ୱାରା ଉଠାଇ ପାରିବେ।”