ଶବ ବୁହା ଘଟଣା ଓ ‘ଟିଚର ଅନ୍‌ କଲ୍‌’କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

bjp-dharmendraଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ଆଜି କେନ୍ଦ୍ରମନ୍ତ୍ରୀ ପୁଣି ଥରେ ବର୍ଷିଛନ୍ତି। ଭବାନୀପାଟଣାରେ ଶବ କାନ୍ଧରେ ବୁହା ହେବା ଘଟଣା, ‘ଟିଚ୍‌ର ଅନ୍‌ କଲ’ ଯୋଜନା ଓ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି,“ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଭୁବନେଶ୍ୱରରେ ବସି ଏହି ସରକାର କେବଳ ଘୋଷଣା ପରେ ଘୋଷଣା କରୁଛନ୍ତି। ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଦେଖିବା ସରକାରଙ୍କ ଦାୟିତ୍ୱ। ଭବାନୀପାଟଣା ଘଟଣାରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ କଥାରେ ତାଳମେଳ ରହୁନାହିଁ। ସରକାର ଜିଲ୍ଲାପାଳମାନଙ୍କ ସହ ସମନ୍ୱୟ ରକ୍ଷା କରିପାରୁ ନାହାନ୍ତି। ଫଳରେ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହାନ୍ତି। ସରକାରଙ୍କ ବିଗତ ଦିନର କଲ୍ୟାଣକାରୀ ଯୋଜନାକୁ ଅନୁଧ୍ୟାନ କଲେ ଜଣାପଡୁଛି ଏହା କେବଳ ଘୋଷଣାରେ ସୀମିତ ରହିଛି, କାର୍ଯ୍ୟକାରୀ ହେଉନାହିଁ। ତେଣୁ କାନ୍ଧରେ ଶବ ବୋହିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।”

ଟିଚ୍‌ର ଅନ୍‌ କଲ୍‌ ଯୋଜନାକୁ ଧର୍ମେନ୍ଦ୍ର ବିରୋଧ କରିଛନ୍ତି। ଭଡ଼ାରେ ଶିକ୍ଷକ ଆଣି ପଢାଇବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଖାଲି ପଡିଥିବା ପଦବୀରେ ବିଏଡ୍‌ ଓ ସିଟି ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାର ଗରିବ ପିଲାଙ୍କୁ ପଢ଼ିବା ପାଇଁ  ନିଯୁକ୍ତିର ଆବଶ୍ୟକତା ରହିଛି। ବିଏଡ୍‌ ଓ ସିଟି ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ଅସୁବିଧା କ’ଣ ଅଛି? ଶିକ୍ଷକ କ’ଣ ଭଡାଟିଆ ଟ୍ୟାକ୍ସି, ଭଡାରେ ଅଣାଯାଇ ପିଲାଙ୍କୁ ପାଠ ପଢାଯିବ? ପ୍ରାଥମିକ ଶିକ୍ଷାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ଓଡ଼ିଶାରେ ବିଏଡ୍‌ ଓ ସିଟି ପାସ୍‌ କରିଥିବା ବହୁ ପିଲା ଅଛନ୍ତି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ପ୍ରାଥମିକ ଶିକ୍ଷାକୁ ଦୃଢ କରାଯାଉ।”

‘ଟିଚର ଅନ୍‌ କଲ’ ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡି ସମାଲୋଚନା କରିଛି। ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷକଙ୍କୁ ଟ୍ୟାକ୍ସି ଓ ବ୍ୟାଗ୍ ସହ ତୁଳନା କରିବା ଦୁର୍ଭାଗ୍ୟଜନକ। ଓଟିଇଟି ପରୀକ୍ଷାରେ ବିଏଡ୍‌ ଓ ସିଟି ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି। ଆଇନଗତ ପ୍ରକ୍ରିୟା ଓ ଏସ୍‌ସି/ଏସ୍‌ଟି ପ୍ରାର୍ଥୀ ମିଳୁ ନ ଥିବାରୁ ଶିକ୍ଷକ ପଦବୀ ଖାଲି ରହୁଛି।”

ମହାନଦୀ ପ୍ରସଙ୍ଗକୁ ଧର୍ମେନ୍ଦ୍ର କହିଛନ୍ତି,“ଗତ ୨୯ ତାରିଖ ବୈଠକର ମଗାଯାଇଥିବା ତଥ୍ୟ ଦେବାକୁ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବହୁତ ତୁ ତୁ ମେଁ ମେଁ ହୋଇଗଲା। ମୁଖ୍ୟମନ୍ତ୍ରୀଙ୍କ ସବୁଧା ଅନୁସାରେ ବୈଠକ କରାଯିବ। ବୈଠକ ପୂର୍ବରୁ ଓଡ଼ିଶା ପାଇଁ ଯେଉଁ ତଥ୍ୟର ଆବଶ୍ୟକତା ଅଛି ଯୋଗାଇ ଦିଆଯିବ। ଓଡ଼ିଶା ସରକାର ସେଥିରେ ସହଯୋଗ କରିବେ ବୋଲି ମୁଁ ଆଶା ରଖିଛି। ଏଇଟା ମୋର ବିଶ୍ୱାସ। ଓଡ଼ିଶାର ଜଳସମ୍ପଦ ଓ ମହାନଦୀକୁ ନେଇ ଦଳ ଶ୍ୱେତପତ୍ର ପ୍ରକାଶ କରିବ।”

ଏ ନେଇ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“ଆମେ ମଧ୍ୟ କହିଛୁ ତୁ ତୁ ମେଁ ମେଁ ଦରକାର ନାହିଁ। ଛତିଶଗଡ଼-ଓଡ଼ିଶା ଭାରତ-ପାକିସ୍ତାନ ନୁହେଁ। ମହାନଦୀ ବେସିନକୁ ନେଇ ଆଲୋଚନା ହେବା ଦରକାର। କେବଳ ଉପରମୁଣ୍ଡକୁ ନେଇ କରିଦେଲେ ହେବ ନାହିଁ। ଅଣ ମୌସୁମୀ ସମୟରେ ମହାନଦୀର ଜଳ ପ୍ରଭାବ କମିଯାଉଛି। ଗତ ୩ରୁ ୪ ବର୍ଷ ହେବ ଅଣ ମୌସୁମୀ ସମୟରେ ଓଡ଼ିଶାରେ ସମସ୍ୟା ଦେଖା ଦେଉଛି। ଅଣ ମୌସୁମୀ ସମୟରେ ଛତିଶଗଡ଼ ମହାନଦୀ ଜଳ ପରିଚାଳନା ପାଇଁ କ’ଣ ପ୍ଲାନ କରିଛି ସେ ତଥ୍ୟ ଆମକୁ ଦେଉ।”

ସେ କହିଛନ୍ତି, “ଛତିଶଗଡ଼ ସରକାର ବିନା ଅନୁମତିରେ ଆରମ୍ଭ କରିଥିବା ପ୍ରକଳ୍ପ ଗୁଡିକ କେନ୍ଦ୍ର ସରକାର ବନ୍ଦ କରନ୍ତୁ।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ବରିଷ୍ଠ ବିଜେଡି ନେତା ତଥା ଦଳର ଉପସଭାପତି ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଧର୍ମେନ୍ଦ୍ରଙ୍କୁ କିଛି ଉତ୍ତର ନାହିଁ। ଧର୍ମ ପରିବର୍ତ୍ତନ ଭଳି ସେ ଆଚରଣ ପ୍ରଦର୍ଶନ କରୁଛନ୍ତି।”