ସବୁ ଚାଷୀ ଆତ୍ମହତ୍ୟାର ତଦନ୍ତ ହେଉ, ଶ୍ୱେତପତ୍ର ପ୍ରକାଶ ପାଉ: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି ଯେ ସବୁ ଆତ୍ମହତ୍ୟାର ତଦନ୍ତ ହୋଇ ଶ୍ୱେତପତ୍ର ପ୍ରକାଶ ପାଇବା ଉଚିତ୍। କିଛି ଚାଷୀ ସୁଧ ଯୋଗୁ ଆତ୍ମହତ୍ୟା କରିଥିବା ବେଳେ ଆଉ କିଛି ଭାଗ ଚାଷୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ସମସ୍ତ ବ୍ୟକ୍ତି ଚାଷୀ ନୁହଁନ୍ତି। ଏନେଇ ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଦୁଇଟି ଉଦାହରଣ ଦେଇଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀରେ ଆତ୍ମହତ୍ୟା କରୁଥିବା ଲୋକେ ଚାଷୀ ନୁହଁନ୍ତି ବୋଲି କହିବା ସହ ଗଣମାଧ୍ୟମ ଉଦ୍ଦେଶ୍ୟରେ ଅଙ୍ଗୁଳି ଉଠାଇଛନ୍ତି ପାଟ୍ଟଶାଣୀ। ସେ କହିଛନ୍ତି, ଜଣେ ବ୍ୟକ୍ତି ପାନ ଦୋକାନ ଦେଇଥିଲା। ସେ ହୃଦଘାତରେ ପ୍ରାଣ ହରାଇଲା। ଏହା ପରେ ଖବର କାଗଜରେ ବାହାରିଲା ଯେ ଜଣେ ଚାଷୀ ଆତ୍ମହତ୍ୟା କରି ଦେଇଛି। ସେହିପରି ଆଉ ଜଣେ ବ୍ୟକ୍ତି ତା’ସ୍ତ୍ରୀ ସହିତ କଳି ହୋଇ ଆତ୍ମହତ୍ୟା କରିଥିଲେ। ତାହାକୁ ବି ଚାଷୀ ଆତ୍ମହତ୍ୟା ବୋଲି କୁହାଗଲା। ତେଣୁ ସବୁ ଚାଷୀ ଆତ୍ମହତ୍ୟାର ତଦନ୍ତ ହେଉ ଓ ଶ୍ୱେତପତ୍ର ପ୍ରକାଶ କରାଯାଉ। ତା’ ହେଲେ ସବୁ ସତ କଥା ପଦାକୁ ଆସିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ଚାଷୀ ମୃତ୍ୟୁ ପ୍ରସଙ୍ଗରେ ଏକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଚାଲି ଯାଇଥିଲେ। ସେ କହିଥିଲେ ଯେ ବିରୋଧୀ ଦଳ ଚାଷୀମାନଙ୍କୁ ‘ଅମର ଲଡୁ’ ଦେଇ ଦିଅନ୍ତୁ, ଆଉ କେହି ମରିବେନି। ଏହାକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବାରୁ ବିରତ ହେବାକୁ ପରାମର୍ଶ ଦେଇଥିଲେ।

ପ୍ରମିଳାଙ୍କ ପୂର୍ବରୁ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ କହିଥିଲେ ଯେ ଫସଲହାନୀ ଓ ଋଣବୋଝ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଚାଷୀମାନେ ଫସଲହାନି ଓ ଋଣବୋଝ ଯୋଗୁଁ ମରି ନଥିବା ନେଇ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟକୁ ସେ ଗ୍ରହଣ କରି ନ ଥିଲେ। ଏପରିକି ସମବାୟ ବିଭାଗ ଋଣ ଦେଇ ନ ପାରିବା ନେଇ ସେ ସରକାରୀ କଳକୁ ମଧ୍ୟ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଅନ୍ୟତମ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ବିଜେପି ସହିତ ଜଡ଼ିତ ଲୋକେ ମହାଜନି କାରବାର କରୁଛନ୍ତି। ସେମାନଙ୍କଠାରୁ ଚାଷୀମାନେ ଋଣ ନେଉଛନ୍ତି ଓ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ବିଜେଡିର ଅନ୍ୟତମ ମୁଖପାତ୍ର ପ୍ରତାପ ଦେବ ମଧ୍ୟ କହିଥିଲେ ଯେ ସରକାର ଚାଷୀମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ ପାଇବ। କିନ୍ତୁ ଦଳର ଅନ୍ୟ ମୁଖପାତ୍ରମାନେ ଏହାକୁ ଖଣ୍ଡନ କରିଥିଲେ। ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ ଚାଷୀ ଆତ୍ମହତ୍ୟା କରେ ନାହଁ।

ଚାଷୀ ଆତ୍ମହତ୍ୟାକୁ ନେଇ ବିଜେଡିର ସାଂସଦ, ମନ୍ତ୍ରୀ, ବିଧାୟକଙ୍କ ଭିନ୍ନ ଭିନ୍ନ ମତକୁ ସମାଲୋଚନା କରିଛି ବିରୋଧୀ। ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଚାଷୀଙ୍କ ପ୍ରତି ସରକାରୀ ଦଳ ତାଚ୍ଛଲ୍ୟ କରୁଛି। ରାଜ୍ୟର ଚାଷୀଙ୍କ ବିଜେଡି ଉପହାସ କରୁଛି। ଚାଷୀଙ୍କ କଟା ଘା’ରେ ଚୂନ ମାରୁଛି। ଦଳର କେଉଁ ନେତା କେତେ ବେଳେ କ’ଣ କହୁଛନ୍ତି ତାହାର ଠିକଣା ନାହିଁ। ଏଥିରୁ ଦଳର ମାନିସିକ ସନ୍ତୁଳନ ସଂପର୍କରେ ବୁଝାପଡୁଛି।

ସେହିପରି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ ଚାଷୀ ଆତ୍ମହତ୍ୟା ଘଟଣାକୁ ରୋକିବାକୁ ସରକାରୀ ଦଳ କୌଣସି ପଦକ୍ଷେପ ନେଉ ନାହିଁ। କିନ୍ତୁ ଦଳୀୟ ନେତାମାନେ ଏ ପ୍ରସଙ୍ଗକୁ ନେଇ ଖାଲି ମନ୍ତବ୍ୟ ଦେଇ ଚାଲିଛନ୍ତି। ଚାଷୀଙ୍କ ପାଇଁ କିଛି ନକରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୋହେଲାରେ ଚାଷୀ ସମାବେଶ କରୁଛନ୍ତି।

ତେବେ ବିରୋଧୀଙ୍କ ସମାଲୋଚନାକୁ ଗ୍ରହଣ କରି ପାରିନି ଶାସକ ବିଜେଡି। ଦଳର ମୁଖପାତ୍ର ସମୀର ଦାଶ କହିଛନ୍ତି ଯେ ଦଳରେ ୨୧ ସାଂସଦ, ୧୦୦ରୁ ଅଧିକ ବିଧାୟକ, ୩୦ ଜିଲ୍ଲାରେ ଜିଲ୍ଲା ସଭାପତି ଅଛନ୍ତି। ଏମାନେ ସାମୂହିକ ଭାବେ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି। ଦଳର ଜଣେ ଅବା ଦୁଇ ତିନି ଜଣ କିଛି କହିଦେଲେ କିଛି ଫରକ ପଡ଼େ ନାହିଁ। ଏହା ସେମାନଙ୍କ ନିଜସ୍ୱ ମନ୍ତବ୍ୟ। ଏଥିପାଇଁ କିଛଇ ନେତାଙ୍କୁ ତାଗିଦ ମଧ୍ୟ କରାଯାଇଛି।