ଦିନକ ପରେ ସାଧାରଣତନ୍ତ୍ର ଦିବସ: ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି  

dgp
ଭୁବନେଶ୍ୱରରେ ଜାନୁଆରୀ ୨୬ରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ରବିବାର ଅନୁଷ୍ଠିତ ଫୁଲ୍ ଡ୍ରେସ୍ ଅଭ୍ୟାସର ସମୀକ୍ଷା କରିବା ଅବସରରେ ଡିଜିପି କେ.ବି ସିଂହ ଓ ପୋଲିସ୍ କମିଶନର ଆର.ପି ଶର୍ମା

ଭୁବନେଶ୍ୱର: ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ରାଜ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ଅବସରରେ କୌଣସି ପ୍ରକାର ଆତଙ୍କୀ କାର୍ଯ୍ୟକଳାପକୁ ଏଡ଼ାଇବା ପାଇଁ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି କରାଯାଇଛି। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ଦେଇଛନ୍ତି ଏହି ସୂଚନା। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଫୁଲ୍ ଡ୍ରେସ୍ ପରେଡର ସମୀକ୍ଷା କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ଡିଜିପି କହିଛନ୍ତି, କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାନୁଆରୀ ୨୬ରେ ରାଜଧାନୀରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ। ୨୨ ପ୍ଲାଟୁନ୍ ପୋଲିସଙ୍କୁ ଏଥିପାଇଁ ମୁତୟନ କରାଯିବ। ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ ସହ ଏସଓଜିର ଦୁଇଟି ୟୁନିଟକୁ ମଧ୍ୟ ମୁତୟନ କରାଯିବ। ସିସିଟିଭି ସହ ସାଦା ପୋଷାକଧାରୀ ପୋଲିସ ଓ ସଶସ୍ତ୍ର ବାହିନୀ ସମଗ୍ର ରାଜଧାନୀରେ ପଇଁତରା ମାରିବେ। ସାଧାରଣତନ୍ତ୍ର ଦିବସ ସମାରୋହ ପୂର୍ବରୁ ରାଜଧାନୀର ବିଭିନ୍ନ ହୋଟେଲ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଆଦି ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମାଓ ଉପଦ୍ରୁବ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି। ତେବେ ସୁରକ୍ଷା ଦୃଷ୍ଟି କୋଣରୁ ସେଠାରେ କି ପ୍ରକାର ବ୍ୟବସ୍ଥା କରାଯାଇଛି, ତାହା ସାର୍ବଜନୀନ କରାଯିବ ନାହିଁ।

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବ୍ୟବହତି ପୂର୍ବରୁ ଆଜି ମହାତ୍ମାଗାନ୍ଧି ମାର୍ଗରେ ଫୁଲ୍ ଡ୍ରେସ୍ ଅଭ୍ୟାସ୍ କରାଯାଇଥିଲା। ଏଥିରେ ୫୫ଟି ୟୁନିଫର୍ମ ଗ୍ରୁପ୍ ଭାଗ ନେଇଥିବା ବେଳେ ୩୫ଟି ନନୟୁନିଫର୍ମ ଗ୍ରୁପ୍ ସାମିଲ ହୋଇଥିଲେ। ସେହିପରି ୩ଟି ପ୍ରଜ୍ଞାପନ ମେଢ଼ ଓ ୭ଟି ସାଂସ୍କୃତି ଗ୍ରୁପ୍ ମଧ୍ୟ ଏହି ଅଭ୍ୟାସରେ ଭାଗ ନେଇଥିଲେ। ପୋଲିସ୍ ଡିଜି କେ.ବି ସିଂହ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହିତ ଉପସ୍ଥିତ ରହି ଏହି ଫୁଲ୍ ଡ୍ରେସ୍ ଅଭ୍ୟାସର ସମୀକ୍ଷା କରିଥିଲେ।