ସାମାଜିକ ନିରାପତ୍ତା କ୍ଷେତ୍ରରେ ଓଡ଼ିଶା ଦେଶରେ ମଡ଼େଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ପାଳନ ହୋଇଛି ୬୭ତମ ସାଧାରଣତନ୍ତ୍ର ଦିବସ। ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ଏସ୍.ସି ଜମିର ପତାକା ଉତ୍ତୋଳନ କରିଥିଲେ। ସକାଳ ଠିକ୍ ୮ଟା ୨୮ରେ ରାଜ୍ୟପାଳ ମହାତ୍ମା ଗାନ୍ଧି ମାର୍ଗରେ ପହଞ୍ଚିଥିଲେ। ୮ଟା ୩୦ ମିନିଟରେ ସେ ପତାକା ଉତ୍ତୋଳନ କରିଥିଲେ।  ଏହା ସହିତ ଅନୁଷ୍ଠିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ। ଏହି ଅବସରରେ ମହାତ୍ମାଗାନ୍ଧି ମାର୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କଟକରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣତନ୍ତ୍ର ଦିବସ କେବଳ ଏକ ଉତ୍ସବର ଦିନ ନୁହେଁ। ଏହା ଏକ ସଂକଳ୍ପର ଦିନ। ଆତ୍ମ ବିଶ୍ୱାସର ସହ ଆଗକୁ ବଢ଼ିବା ଓ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ କାର୍ଯ୍ୟକାରୀ କରିବାର ଦିନ। ବିକାଶ, ନ୍ୟାୟ, ସମତା, କଲ୍ୟାଣ ଓ ନାଗରିକ ଅଧିକାର ଆମ ସମ୍ବିଧାନର ମୂଳମଞ୍ଜି। ଏହାକୁ ଆଧାର କରି ସ୍ୱାଧୀନ ଭାରତର ଜନସାଧାରଣ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି।

cm

ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶର ବିକାଶ ଜୟଯାତ୍ରାରେ ଓଡ଼ିଶା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିପାରିଛି। ଆମର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଆଗରେ ରହିଛି। ଶିକ୍ଷାଠାରୁ ଆରମ୍ଭ କରି ଶିଳ୍ପର ପ୍ରସାର, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆମ ରାଜ୍ୟ ନିଜର ସ୍ଥାନ ମଜଭୁତ କରିଛି। ଯୁବସମାଜକୁ ଶିଳ୍ପଦ୍ୟୋଗୀ ହେବାକୁ ଉତ୍ସାହିତ କରିବା ପାଇଁ ସରକାର ଖୁବଶୀଘ୍ର ଏକ ନୂଆ ଷ୍ଟାର୍ଟ ଅପ୍ ନୀତି କରିବାକୁ ଯାଉଛନ୍ତି।

ସେ କହିଥିଲେ, ସାମାଜିକ ନିରାପତ୍ତା କ୍ଷେତ୍ରରେ ଓଡ଼ିଶା ଦେଶରେ ମଡେଲ୍ ହୋଇପାରିଛି। ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି। ଚଳିତ ବର୍ଷ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପାଳନ କରିବାକୁ ଯାଉଛୁ। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଶହେ ବର୍ଷରେ ପହଞ୍ଚିବ। ଓଡ଼ିଶାକୁ ସବୁ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ଓଡ଼ିଶା ଏଟ୍ ହଣ୍ଡ୍ରେଡ ଭିଜନ୍ ଡକ୍ୟୁମେଣ୍ଟ ପାଇଁ ଚଳିତ ବର୍ଷରୁ କାମ ଆରମ୍ଭ କରାଯିବ।

କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ୬୭ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲା।  କୋରାପୁଟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାଲେଶ୍ୱରର ପୋଲିସ ପଡ଼ିଆରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୬୭ତମ ସାଧାରଣତନ୍ତ୍ର ଦିବସ। ଏହି ଉତ୍ସବରେ ଜିଲ୍ଲାପାଳ ପ୍ରମୋଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପାତାକା ଉତ୍ତୋଳନ କରିବା ସହିତ ସମୂହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।

ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ୍ ପଡ଼ିଆ ଠାରେ ୬୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବରେ ରାଜ୍ୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ୍ ଓ କଲେଜର ୩୮ ଟି ଗ୍ରୁପ୍ ପ୍ୟାରେଡ୍ ପ୍ରଦର୍ଶନ କରିବା ସହ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା।

ସମ୍ୱଲପୁରର ଭି.ଏସ.ଏସ. ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଉତ୍ତରାଂଚଳ ରାଜସ୍ୱ କମିସନର ଏନ.ବି.ଏସ. ରାଜପୁତ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅବିଭାଦନ ଗ୍ରହଣ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ  ଉତ୍ତରାଂଚଳ ପୋଲିସ ଡିଆଇଜି ପ୍ରତୀକ ମହାନ୍ତି, ସମ୍ୱଲପୁର ଜିଲ୍ଲାପାଳ ବଲୱନ୍ତ ସିଂ, ଏସ.ପି. ଅଖିଳେଶ୍ୱର ସିଂ ଓ ଭିଜିଲାନସ ଏସ.ପି. ଜୟ ନାରାୟଣ ପଙ୍କଜ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା , ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ନୟାଗଡ଼ ପୋଲିସ୍ ଟ୍ରେନିଂ ପଡ଼ିଆରେ ୬୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ରାଉରକେଲାର ଉଦିତ ନଗର ପରେଡ୍ ପଡ଼ିଆରେ ୬୭ତମ ସାଧାରଣତନ୍ତ୍ର ଦବିସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରି ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ସୁନ୍ଦରଗଡ଼ କ୍ରୀଡ଼ା ସାଂସଦ ପଡ଼ିଆଠାରେ ୬୭ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

sudergada

ସୁବର୍ଣ୍ଣପୁର ଜିଲ୍ଲା ରୟାଲ ପଡ଼ିଆରେ ୬୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପରେଡରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ମୋଟ ୪୩ ଗୋଟି ଦଳ ଭାଗ ନେଇଥିଲେ।

ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଠାରେ ୬୭ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ୬୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଳାପାଳ ରାଜେଶ ପ୍ରଭାକର ପାଟିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ।

ଭଦ୍ରକ ନେହୁରୁ ଷ୍ଟାଡିୟମରେ  ଜିଲ୍ଲାସ୍ତାରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।