ସମ୍ବଲପୁର: କ୍ରସରରେ ଚାପି ହୋଇ ଶ୍ରମିକ ମୃତ, ୧୦ଟି ଗାଡ଼ି ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

sambalpurସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗୁମୁଲେଇ ଗାଁରେ ଥିବା କ୍ରସରରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ ନିରୋଜ ବେହେରା। କ୍ରସରରେ କାମ କରୁଥିବା ବେଳେ ବେଲ୍ଟରେ ଚାପି ହୋଇ ତାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଲଙ୍କାକାଣ୍ଡ ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ୨ଟି ଜେସିବି ସହ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ସହ କ୍ରସରକୁ ସ୍ଥାୟୀ ଭାବେ ହଟାଇବା ଦାବିରେ ସମ୍ୱଲପୁର-ଲଇଡ଼ା ରାସ୍ତା ଅବରୋଧ କରିଥିଲେ ଲୋକେ। ଫଳରେ ବହୁ ସମୟ ଧରି ଉକ୍ତ ସ୍ଥାନରେ ଉତ୍ତେଜନା ଲାଗି ରହିଥିଲା। ଘଟଣା ପରେ କ୍ରସର ମାଲିକ ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଛନ୍ତି।

ଶୁକ୍ରବାର ଏଠାରେ କାମ କରୁଥିବା ବେଳେ କ୍ରସର୍ ବେଲଟରେ ଚାପି ହୋଇ ପ୍ରାଣ ହରାଇଥଲେ ନିରୋଜ। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ସେଠାରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ରେଙ୍ଗାଲିରୁ ଦମକଳ ବାହିନୀ ପହଞ୍ଚଥିଲେ ହେଁ ଲୋକଙ୍କ ବିରୋଧ ଯୋଗୁଁ ନିଆଁ ଲିଭାଇ ପାରି ନ ଥିଲେ। ପରେ ଲୋକେ ସମ୍ବଲପୁର-ଲଇଡ଼ା ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ।

ମୃତକଙ୍କ ବାପା ଦିଲ୍ଲୀପ ବେହେରା କହିଛନ୍ତି ଯେ ଆଜି ସକାଳେ କ୍ରସର ସଫା କରିବାକୁ ତାଙ୍କ ପୁଅକୁ ନିଜେ କ୍ରସର ମାଲିକ ଡାକିଥିଲେ। ତେବେ ସେ କ୍ରସର ସଫା କରୁଥିବା ବେଳେ ଏହାକୁ ଚାଲୁ କରି ଦିଆଯାଇଥିଲା। ଫଳରେ ସେ ଚାପି ହୋଇ ପ୍ରାଣ ହରାଇଥିଲା। ତାଙ୍କର ଆଉ କେହି ନାହାନ୍ତି। ତେଣୁ ଭରଣପୋଷଣ ପାଇଁ ତାଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ଦିଆଯାଉ।

ସେହିପରି ସ୍ଥାନୀୟ ବାସିନ୍ଦା ଫକୀର ମୋହନ ସାହୁ କହିଛନ୍ତି, ମୃତକଙ୍କ ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯାଉ। ତା’ସହିତ ପୂରା ପଞ୍ଚାୟତର ସମସ୍ତ କ୍ରସରଗୁଡ଼ିକୁ ବନ୍ଦ କରାଯାଉ।

ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଏହି କ୍ରସର ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରି ନ ଥିଲା।