ସରକାରଙ୍କୁ ଡାଲି ଚିନ୍ତା: ଦେଶର ବିଭିନ୍ନ ସ୍ଥାନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢାଉ

pulseprice7ଭୁବନେଶ୍ୱର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘାରିଛି ମହଙ୍ଗା ଡାଲିର ଚିନ୍ତା। ସାରା ଦେଶରେ ବିଭିନ୍ନ ଗୋଦାମରେ ବେଆଇନ ଭାବେ ମହଜୁଦ୍ ଥିବା ୫୦ ହଜାର ୬୦୦ ଟନ୍ ଡାଲି ଜବତ ହୋଇଛି। ଏପଟେ ରାଜ୍ୟର ୭ଟି ସ୍ଥାନର ବିଭିନ୍ନ ମିଲ୍ ଓ ଗୋଦାମ ଉପରେ ଚଢାଉ କରିଛି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ। ଡାଲି ଗଚ୍ଛିତ ଥିବା ଗୋଦାମ ଉପରେ ଚଢ଼ାଉ କରି ଷ୍ଟକ ଯାଞ୍ଚ୍ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି। ଶନିବାର ରାଜ୍ୟର ବିଭିନ୍ନ ଗୋଦାମ ଓ ମିଲ୍ ଉପରେ ଯୋଗାଣ ବିଭାଗର ଚଢାଉ କରିଛି। ଆଜି ଖୋର୍ଦ୍ଧା, ଜଟଣୀ ଓ କଟକସ୍ଥିତ ବିଭିନ୍ନ ଡାଲି ମିଲ୍ ଓ ଗୋଦାମରେ ଚଢାଉ କରାଯାଇଛି। ଗତ ୩ ଦିନ ହେଲା ରାଜ୍ୟର ୭ଟି ସ୍ଥାନରେ ବିଭିନ୍ନ ଗୋଦାମ ଓ ମିଲ ଉପରେ ଚଢାଉ ଜାରି ରଖିଛି ଖାଦ୍ୟ ଓ ଯୋଗାଣ ବିଭାଗ। ଗୋଦାମରେ ଗଚ୍ଛିତ ଡାଲିର ପରିମାଣ ଯାଞ୍ଚ ଆରମ୍ଭ ହୋଇଛି। କେତେ ପରିମାଣ ଡାଲି ରହିଛି, କେଉଁଠୁ ଆମଦାନୀ ହୋଇଛି, କେତେ ଡାଲି ବିକ୍ରି ହୋଇଛି, ସେ ନେଇ ଆରମ୍ଭ ହୋଇଛି ତନାଘନା। ଦେଶରେ ବିଭିନ୍ନ ରାଜ୍ୟରେ ବେଆଇନ ଭାବେ ଡାଲି ଗଚ୍ଛିତ ଥିବା ଅଭିଯୋଗରେ ମୋଟ ୩ ହଜାର ୧୪୯ ସ୍ଥାନରେ ଚଢାଉ ହୋଇଛି। ମୋଟ୍ ୫୦ ହଜାର ୬୦୦ ଟନ୍ ଡାଲି ଜବତ କରାଯାଇଛି। ଏପଟେ ଗୋଦାମରେ ଡାଲି ଗଚ୍ଛିତ ଥିବା ସନ୍ଦେହ ହେଲେ ତୁରନ୍ତ ଚଡାଉ କରି ଷ୍ଟକ ଯାଞ୍ଚ କରିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ଯୋଗାଣ ବିଭାଗ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ରାଜଧାନୀର ଖୁଚୁରା ବଜାରରେ ହରଡ ଡାଲି କିଲୋ ପ୍ରତି ୧୪୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହପରି ମସୁର ଡାଲି କିଲୋପ୍ରତି ୯୦, ବୁଟ ଡାଲି ୮୦, ମୁଗଡାଲି ୧୧୫ ଓ ବିରି ଡାଲି ୧୪୫ ଟଙ୍କାରେ ବିକ୍ରି ହେଉଛି।