ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ୧୨ରେ ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି

ଦିଲ୍ଲୀ/ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାର ଓ ସର୍ଦ୍ଦାର ରାଜାସ୍ କଲେଜ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୧୨ ତାରିଖରେ ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରାଯିବ। ଏପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ୍ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚିନ୍ତା ବଢିବାରେ ଲାଗିଛି।

ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ସରକାରୀ ବ୍ୟତୀତ ଘରୋଇ ମେଡିକାଲ କଲେଜରେ କିଭଳି ଥଇଥାନ କରାଯିବ ସେ ନେଇ ପଦକ୍ଷେପ ନେବାକୁ ଏମସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଗତ ୫ ତାରିଖରେ ଦେଇଥିବା ଅନ୍ତରୀଣ ରାୟକୁ ବଳବତ୍ତର ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ଫଳରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସର୍ଦ୍ଦାର ଛାତ୍ରଛାତ୍ରୀଙ୍କ କ୍ଲାସରେ ଯୋଗ ଦେବା ଉପରେ ଲାଗିଥିବା ରୋକ୍ ଜାରି ରହିଛି । ସେହିପରି କୋର୍ଟ ରାଜ୍ୟ ସରକାର ଓ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପ୍ରତିଷ୍ଠାତା ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟକୁ ନୋଟିସ୍ ଜାରି କରିଛନ୍ତି କୋର୍ଟ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ରଛାତ୍ରୀ ଖୁସି ପ୍ରକାଶ କରିଛନ୍ତି ।  ସେମାନେ ବୁର୍ଲା ସମେତ ସରକାରୀ ମେଡିକାଲ କଲେଜରେ ସର୍ଦ୍ଦାର ରାଜା ଛାତ୍ରଛାତ୍ରୀଙ୍କ ଆଡମିଶନକୁ ବିରୋଧ କରି ଆସୁଥିଲେ। ସୁପ୍ରିମକୋର୍ଟଙକ ନିଷ୍ପତ୍ତି ସେମାନଙ୍କର ଆଇନ ଉପରେ ଥିବା ବିଶ୍ୱାସକୁ ଅତୁଟ ରଖିଛି ବୋଲି କହିଛନ୍ତି।

ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜରେ ସରକାରୀ କୋଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ସରକାରୀ ମେଡିକାଲ୍ କଲେଜ ଏବଂ ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଘରୋଇ କଲେଜରେ ପଢିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସୁପ୍ରିମକୋର୍ଟ କାଏମ ରହିଛି।

ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଥଇଥାନ ନେଇ ପୂର୍ବରୁ ବହୁ ବିରୋଧାଭାଷ ଦେଖାଦେଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ ଆଡମିଶନ୍ ନେଇଥିଲେ।