ତେଜୁଛି ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ ସ୍ଥାନାନ୍ତର ବିବାଦ: ଭୁବନେଶ୍ୱରରେ ଏମକେସିଜି, ଭିଏସ୍ଏସ୍ ଏବଂ ହାଇଟେକ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ମିଳିତ ରାଲି

medical-stଭୁବନେଶ୍ୱର/ସମ୍ବଲପୁର/ବ୍ରହ୍ମପୁର: ଥମୁନି ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ବିବାଦ। ଛାତ୍ରଛାତ୍ରୀଙ୍କୁ ଅନ୍ୟ ସରକାରୀ କଲେଜକୁ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତିବାଦରେ ଜୋର ଧରିଛି ଏମକେସିଜି, ଭିଏସ୍ଏସ୍ ଏବଂ ହାଇଟେକ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଆଜି ଏହି ତିନି ମେଡିକାଲ୍ କଲେଜ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ମିଳିତ ରାଲି କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି, ନିମ୍ନ ରାଙ୍କ ରଖିଥିବା ସର୍ଦ୍ଦାର ରାଜାସ୍ କଲେଜ ଛାତ୍ରଛାତ୍ରୀ ସେମାନଙ୍କ ସମକକ୍ଷ ହେବେ କେମିତି। ତା’ସହ ଏବେ କଲେଜରେ ଆବଶ୍ୟକ ଭିତ୍ତିଭୂମି ନଥିବାବେଳେ ଅଧିକ ପିଲା ଆଡମିଶନ୍ ନେଲେ ପ୍ରାକ୍ଟିକାଲ, ହେଷ୍ଟଲ୍ ଆଦି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ।

ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରତିବାଦରେ ଆଜି ବୁର୍ଲା ମେଡ଼ିକାଲ କଲେଜରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ଗତ ୨୩ ତାରିଖରୁ ଛାତ୍ରଛାତ୍ରୀଙ୍କ ମେଡ଼ିକାଲ କଲେଜ ପରିସରରେ ଧାରଣା ଜାରି ରହିଛି। ଜାରିଂ ମେଡ଼ିକାଲ କଲେଜର ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି ଭିଏସଏସ ମେଡ଼ିକାଲ କଲେଜର ଛାତ୍ରଛାତ୍ରୀମାନେ।

ସେପଟେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। କଲେଜରେ ତାଲା ପକାଇ ସେମାନେ ଧରାଣାରେ ବସିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର, ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣଙ୍କୁ ଏମକେସିଜି, ୫୪ଜଣଙ୍କୁ ଭିଏସ୍ଏସ୍ ଓ ବାକି ୧୫ ଜଣଙ୍କୁ ତିନିଟି ଘରୋଇ ମେଡିକାଲ କଲେଜ୍ରେ ଆଡମିସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଚାଲିଛି ବିବାଦ।