ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ଘରୋଇ କଲେଜରେ ୭ ଦିନ ମଧ୍ୟରେ ନାମଲେଖା ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ୍ ଛାତ୍ରଛାତ୍ରୀଙ୍କୁ ଘରୋଇ କଲେଜରେ ଥଇଥାନ ନେଇ ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ୭ ଦିନ ମଧ୍ୟରେ ୩ ଘରୋଇ ମେଡ଼ିକାଲ କଲେଜ କିମସ୍, ହାଇଟେକ୍ ଓ ସୋମରେ ସର୍ଦ୍ଦାର ରାଜାସର ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ସରକାରୀ ଫିରେ ଆଡମିଶନ କରି ପାରିବେ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ରେ ହେବ।

ଗତ ୮ତାରିଖରେ ଛାତ୍ରଛାତ୍ରୀଙ୍କୁ ସରକାରୀ କଲେଜ ବ୍ୟତୀତ ଘରୋଇ ମେଡ଼ିକାଲ କଲେଜରେ କିଭଳି ଥଇଥାନ କରାଯିବ ସେ ନେଇ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଏମସିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଗତ ୫ ତାରିଖରେ ଦେଇଥିବା ଅନ୍ତରୀଣ ରାୟକୁ ବଳବତ୍ତର ରଖିଥିଲେ। ଫଳରେ ସର୍ଦ୍ଦାର ଛାତ୍ରଛାତ୍ରୀଙ୍କ କ୍ଲାସରେ ଯୋଗ ଦେବା ଉପରେ ଲାଗିଥିବା କଟକଣା ଜାରି ରହିଛି। କୋର୍ଟ ରାଜ୍ୟ ସରକାର ଓ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପ୍ରତିଷ୍ଠାତା ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟକୁ ନୋଟିସ୍ ଜାରି କରିଥିଲେ।

ସୁପ୍ରିମକୋର୍ଟଙ୍କ ରାୟକୁ ଉଭୟ ଏମକେସିଜିଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଛନ୍ତି। ବୁର୍ଲା ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ କହିଛନ୍ତି, ଏବେ ଆମେ ବହୁତ ଖୁସି ଅଛୁ। ଆମ ଦାବି ମାନ୍ୟବର ସୁପ୍ରିମକୋର୍ଟ ପୂରଣ କରିଛନ୍ତି। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜରେ ଯେଉଁ ଭାଇଭଉଣୀମାନେ ପଢୁଥିଲେ ସେମାନଙ୍କ କଥା ବି କୋର୍ଟ ଶୁଣିଛନ୍ତି। ଏମକେସିଜି ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ କହିଛନ୍ତି, ଆମେ ଯେଉଁ ଆନ୍ଦୋଳନ ଚଳାଇଥିଲୁ ତାହାର ସୁଫଳ ମିଳିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ଆମେ ବହୁତ ଖୁସି ଅଛୁ।

ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଥଇଥାନ ନେଇ ପୂର୍ବରୁ ବହୁ ବିରୋଧାଭାଷ ଦେଖାଦେଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ ଆଡମିଶନ୍ ନେଇଥିଲେ।