ମନ୍ତ୍ରିମଣ୍ଡଳ ଅଦଳବଦଳ: ଶଶିଙ୍କୁ ଅର୍ଥ ଓ ନିରଞ୍ଜନଙ୍କୁ ଶିଳ୍ପ ବିଭାଗ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ନବକଳେବର କରିଛନ୍ତି। ୮ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ପାଠ କରିଥିବା ବେଳେ ୪ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି। ଏହାସହ ସ୍ନେହାଙ୍ଗିନୀ ଛୁରିଆ ଓ  ଅଶୋକ ପଣ୍ଡାଙ୍କୁ ଛାଡିଦେଲେ ଅନ୍ୟ ସବୁ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇଛି। ଶଶିଭୂଷଣ ବେହେରାଙ୍କୁ ଅର୍ଥ ଓ ଅବକାରୀ ବିଭାଗ ମିଳିଛି। ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ନିରଞ୍ଜନ ପୂଜାରୀଙ୍କୁ ଶିଳ୍ପ, ଗୃହ ଓ ନଗର ଉନ୍ନୟନ ଦିଆଯାଇଛି।

ନୂଆ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆ କରି କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମିଳିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ। ପ୍ରତାପ ଜେନାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ, ମହେଶ୍ୱର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରଫୁଲ୍ଲ ସାମଲଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପାହ୍ୟା ମନ୍ତ୍ରୀରୁ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଶକ୍ତି, ଇସ୍ପାତ ଓ ଖଣି ବିଭାଗ ଏବଂ ରମେଶ ମାଝିଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦିଆଯାଇଛି।

ନୂଆ ରାଷ୍ଟ୍ରପାହ୍ୟା ମନ୍ତ୍ରୀ

ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ପ୍ରଦାନ କରାଯାଇଛି। ସେହିପରି ସୁଶାନ୍ତ ସିଂଙ୍କୁ ଶ୍ରମ ଓ ଇଏସ୍‌ଆଇ, ନୃସିଂହ ସାହୁଙ୍କୁ ବାଣିଜ୍ୟ ଓ ପରିବହନ ଏବଂ ଚନ୍ଦ୍ରସାରଥି ବେହେରାଙ୍କୁ କ୍ରୀଡା ଓ ଯୁବ ବ୍ୟାପାର, ଆଇଟି ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି।

ବଦଳିଲେ ମନ୍ତ୍ରୀ

ପୂର୍ବପରି ସ୍ନେହାଙ୍ଗିନୀ ଛୁରିଆଙ୍କ ବୟନ ଶିଳ୍ପ ଏବଂ ଅଶୋକ ପଣ୍ଡାଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହାବାଦ୍‌ ଅନ୍ୟ ସବୁ ବିଭାଗରେ ନବୀନ ଅଦଳବଦଳ କରିଛନ୍ତି।

ଦାମୋଦର ରାଉତଙ୍କୁ ଅବକାରୀ ବିଭାଗରୁ ହଟାଇ ନବୀନ କୃଷି ଓ କୃଷକ ସଶକ୍ତିକରଣଳ ମତ୍ସ୍ୟ ଓ ପଶୁ ସମ୍ପଦ, ସାଧାରଣ ଉଦ୍ୟଗ ବିଭାଗ ଦେଇଛନ୍ତି। ପ୍ରଦୀପ ମହାରଥୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିଥିବା ବେଳେ ବିକ୍ରମ କେଶରୀ ଆରୁଖଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି। ଉଷା ଦେବୀଙ୍କୁ ଯୋଜନା ସମନ୍ୱୟ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପ୍ରଦାନ କରାଯାଇଥିବା ବେଳେ ବିଜୟଶ୍ରୀ ରାଉତରାୟଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ମିଳିଛି। ବଦ୍ରି ନାରାୟଣପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ଦିଆଯାଇଛି।

ଗତକାଲି ମନ୍ତ୍ରିମଣ୍ଡଳରୁ ୧୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ।