ଶଶୀଭୂଷଣଙ୍କ ସମେତ ୯ ବିଧାୟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ୯ଟି ଜିଲ୍ଲା ପାଇଁ ସୋମବାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ୯ ଜଣ ବିଧାୟକଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ନୂଆ ନିୟମ ଅନୁଯାୟୀ ସରକାର ବିଧାୟକମାନଙ୍କୁ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ପାଇଥିବା ବିଧାୟକମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ।

ବରିଷ୍ଠ ବିଜେଡି ନେତା ତଥା ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି। ସେହିପରି ନୃସିଂହ ଚରଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି। ଶଶୀଭୂଷଣ ବେହେରା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ବଳଭଦ୍ର ମାଝୀ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି। ମହେଶ ସାହୁଙ୍କୁ ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ସୁଶାନ୍ତ ସିଂହ ଓ ହୃଷିକେଶ ନାୟକ ଯଥାକ୍ରମେ ବରଗଡ଼ ଓ କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି।

ରାଜ୍ୟ ସରକାର ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍ ‌ଆକ୍ଟ ୧୯୬୧ରେ ସଂଶୋଧନ ଆଣି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରିବା ପାଇଁ ନୂଆ ନିୟମ କରିଛନ୍ତି। ଏହି ସଂଶୋଧିତ ପ୍ରସ୍ତାବ ଜାନୁଆରୀ ୧୬ ତାରିଖରେ ରାଜ୍ୟ କ୍ୟାବିନେଟରେ ମଂଜୁରୀ ପାଇଥିଲା। ଏହାକୁ ଅଧ୍ୟାଦେଶ ଭାବେ ଖୁବଶୀଘ୍ର ଜାରି କରାଯିବ ବୋଲି ସେଦିନ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ଏହି ସଂଶୋଧିକ ଆଇନ ଅନୁଯାୟୀ ବିଧାୟକମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦବୀ ସହିତ ଉପାଧ୍ୟକ୍ଷ ପଦବୀ ଏବଂ ରାଜ୍ୟ ଯୋଝନା ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇପାରିବ। ସେହିପରି  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଅବା ଉପାଧ୍ୟକ୍ଷ ପଦବୀରେ ମଧ୍ୟ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇପାରିବ। ବିଧାୟକମାନେ ଏହି ସବୁ ପଦବୀରେ ଅବସ୍ଥାପିତ ହେଲେ ସେମାନଙ୍କୁ ଆଉ ଅଫିସ୍ ଅଫ୍ ପ୍ରଫିଟ୍ ଆଧାରରେ ବିଧାନସଭା ସଭ୍ୟ ପଦରୁ ଅପସାରଣ କରାଯାଇ ପାରିବ ନାହିଁ। ପୂର୍ବରୁ ବିଧାୟକମାନେ କେବଳ ଜିଲ୍ଲା ଯୋଜନା କମିଟିର ସଦସ୍ୟ ରହୁଥିଲେ।