ସତୀଶ ଗଜଭିୟେଙ୍କ ବିରୋଧରେ ଡ୍ରାଫ୍ଟ ପ୍ରସ୍ତୁତ କରିବାରେ ବିଳମ୍ବ କରାଯାଇନାହିଁ: ପୂର୍ବତନ ଡିଜିପି ସଂଜୀବ ମାରିକ

ଭୁବନେଶ୍ୱର: ଅପ୍ରତ୍ୟାଶିତ ଭାବେ ପୋଲିସ୍ ଡିଜି ପଦରୁ ବିଦା ହେବାର ୧୦ ଦିନ ପରେ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେ ଓ ଡିଏସପି ବଦଳି ପ୍ରସଙ୍ଗରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ସଂଜୀବ ମାରିକ। ‘ଓଟିଭି’କୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ସେ କହିଛନ୍ତି, ସତୀଶ ଗଜଭିୟେଙ୍କ ବିରୋଧରେ ଡ୍ରାଫ୍ଟ୍ ଫ୍ରେମ୍ କରାଯିବାରେ ଆଦୌ ବିଳମ୍ବ କରାଯାଇ ନାହିଁ କି ଏହାକୁ ଦୁର୍ବଳ କରି ପ୍ରସ୍ତୁତ କରାଯାଇ ନାହିଁ। ଏନେଇ ହେଉଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। […]

ex-dgp

ex-dgp

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 04:15 PM IST

Sports

Latest News

ଭୁବନେଶ୍ୱର: ଅପ୍ରତ୍ୟାଶିତ ଭାବେ ପୋଲିସ୍ ଡିଜି ପଦରୁ ବିଦା ହେବାର ୧୦ ଦିନ ପରେ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେ ଓ ଡିଏସପି ବଦଳି ପ୍ରସଙ୍ଗରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ସଂଜୀବ ମାରିକ। ‘ଓଟିଭି’କୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ସେ କହିଛନ୍ତି, ସତୀଶ ଗଜଭିୟେଙ୍କ ବିରୋଧରେ ଡ୍ରାଫ୍ଟ୍ ଫ୍ରେମ୍ କରାଯିବାରେ ଆଦୌ ବିଳମ୍ବ କରାଯାଇ ନାହିଁ କି ଏହାକୁ ଦୁର୍ବଳ କରି ପ୍ରସ୍ତୁତ କରାଯାଇ ନାହିଁ। ଏନେଇ ହେଉଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଉପଲ୍ବଧ ତଥ୍ୟ ଭିତ୍ତିରେ ଓ ଗୃହ ବିଭାଗର ନିର୍ଦ୍ଦେଶ ପ୍ରକାରେ ଡ୍ରାଫ୍ଟ ତିଆରି କରାଯାଇଥିଲା। କୌଣସି ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟ ପ୍ରସ୍ତୁତ କଲା ବେଳେ ତଥ୍ୟ ଉପରେ ହିଁ ଗୁରୁତ୍ୱ ଦିଆଯାଏ। ତଥ୍ୟ ଅନୁଯାୟୀ ଡ୍ରାଫ୍ଟ ତିଆରି କରାଯାଏ। ମନଗଢ଼ା ଭାବେ ଡ୍ରାଫ୍ଟ ପ୍ରସ୍ତୁତ କରାଯାଏ ନାହିଁ। ସତୀଶ ଭଜଭିୟେଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମକୁ ଅନୁକରଣ କରାଯାଇଛି।

ପୂର୍ବତନ ଡିଜିପି ସଂଜୀବ ମାରିକ ଆହୁରି ମଧ୍ୟ କହିଛନ୍ତି, ଅଗଷ୍ଟ ୧୩ ତାରିଖରେ ସତୀଶ ଗଜଭିୟେଙ୍କୁ ନିଲମ୍ବିତ କରାଯାଇଥିଲା। ଏହାର ୧୦ ଦିନ ପରେ ସରକାରଙ୍କ ପାଖରୁ ଏକ ଚିଠି ଡିଜିପି ଅଫିସକୁ ଆସିଥିଲା। ଏଥିରେ ଡିଜିପି ଅଫିସକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସତୀଶଙ୍କ ବିରୋଧରେ ଡ୍ରାଫ୍ଟ ପ୍ରସ୍ତୁତ କଲା ବେଳେ ଭିଜିଲାନ୍ସର ଉକ୍ତ ରିପୋର୍ଟକୁ ବି ସାମିଲ କରିବ ଯେଉଁଥିରେ ତାଙ୍କ ବିରୁଦ୍ଧରେ ଜମି ହଡ଼ପ ନେଇ ତଥ୍ୟ ରହିଛି। ଏହା ପରେ ସେପ୍ଟେମ୍ବର ୨୯ ତାରିଖରେ ଗୃହ ବିଭାଗରୁ ଆଉ ଏକ ଚିଠି ଡିଜିପି ଅଫିସକୁ ଆସିଥିଲା। ଅର୍ଥାତ ଗଜଭିୟେ ନିଲମ୍ବିତ ହେବାର ୪୭ ଦିନ ପରେ ଏହି ଚିଠି ଆସିଥିଲା। ଏଥିରେ କୁହାଯାଇଥିଲା ଯେ ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲ୍ ଅନୁଯାୟୀ ନିଲମ୍ବିତ ଆଇପିଏସ୍ ସତୀଶ ଗଜଭିୟେଙ୍କ ବିରୁଦ୍ଧରେ ୯୦ ଦିନ ମଧ୍ୟରେ ଡ୍ରାଫ୍ଟ ଚାର୍ଜ ଦାଖଲ କରାଯିବା କଥା। ଏଥିରୁ ଅଧା ଦିନ ଚାଲି ଗଲାଣି। ଏଣୁ ଆଉ ବିଳମ୍ବ କରିବା ଠିକ ହେବ ନାହିଁ। ତୁରନ୍ତ ଡ୍ରାଫ୍ଟ ଫ୍ରେମ୍ କରି ଦାଖଲ କର। ଏହା ପରେ ଡିଜିପି ଅଫିସ୍ ପକ୍ଷରୁ ତଡ଼ିତ୍ ବେଗରେ ଭିଜିଲାନ୍ସ ଅଫିସରୁ ଡ୍ରାଫ୍ଟ ଚାର୍ଜ ରିପୋର୍ଟ ସଂଗ୍ରହ କରାଗଲା। ଅକ୍ଟୋବର ୭ ତାରିଖରେ ଏହି ରିପୋର୍ଟକୁ ସଂଗ୍ରହ କରାଯିବା ପରେ ସେହିଦିନ ହିଁ ସେ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ ସହିତ ମିଶାଇ ଏହାକୁ ସରକାରଙ୍କୁ ଦେଇ ଦିଆଯାଇଥିଲା। ଏଣୁ ଡ୍ରାଫ୍ଟ ପଠାଇବାରେ ଡିଜିପି ଅଫିସ୍ ଆଦୌ ବିଳମ୍ବ କରି ନଥିଲେ। ପୁଣି ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟ କରିଥିଲେ।

ସେ କହିଛନ୍ତି, ଡିଜିପି ଅଫିସ୍ ଚାର୍ଜ ଫ୍ରେମ୍ କରନ୍ତି ନାହିଁ। ସେଇଟା ସରକାର କରନ୍ତି। ଡିଜି ଅଫିସ୍ କେବଳ ଡ୍ରାଫ୍ଟ ଫ୍ରେମ୍ କରି ସରକାରଙ୍କୁ ଦେଇ ଦିଅନ୍ତି। ଆଉ ଡିଜିପି ଅଫିସ୍ ଏଥିରେ ଆଦୌ ବିଳମ୍ବ କରି ନାହିଁ। ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ତାଙ୍କୁ କ୍ଷୁବ୍ଧ କରିଛି। ଡିଜିପି ଅଫିସ୍ ଗଜଭିୟେଙ୍କ ବିରୋଧରେ ଡ୍ରାଫ୍ଟ ପ୍ରସ୍ତୁତିରେ ବିଳମ୍ବ କରିଥିବା ନେଇ ଗଣମାଧ୍ୟମଗୁଡ଼ିକ ଯେଉଁ ଭଳି ଭାବେ ଖବର ପରିବେଷଣ କଲେ ତାହା ଠିକ୍ ନୁହେଁ।

ଏହା ସହିତ ଡିଏସପି ବଦଳି ମାମଲାରେ ବି ସ୍ପଷ୍ଟୀକରଣ ଦେଇଛନ୍ତି ପୂର୍ବତନ ଡିଜିପି ସଂଜୀବ ମାରିକ। ସେ କହିଛନ୍ତି ଯେ ଡିଏସପିମାନଙ୍କୁ ବଦଳି କରିବାର ଅଧିକାର ଡିଜିପିଙ୍କର ନାହିଁ। ଡିଏସପିମାନଙ୍କ ବଦଳି କେବଳ ପିଇବି କରିପାରିବ। ରାଜ୍ୟ ପୋଲିସର ମୁଖ୍ୟ ହୋଇଥିବା ଯୋଗୁଁ ଡିଜିପି ପିଇବି ଅଧ୍ୟକ୍ଷ ହୋଇ ଥାଆନ୍ତି। ତାଙ୍କ ବ୍ୟତୀତ ବୋର୍ଡରେ ଏଡିଜି (କ୍ରାଇମବ୍ରାଞ୍ଚ), ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ମୁଖ୍ୟାଳୟ, ଜଣେ ରେଞ୍ଜ୍ ଆଇଜି ଓ ଜଣେ ପୋଲିସ୍ କମିଶନର ରାଙ୍କର ଅଫିସର ସଦସ୍ୟ ରହି ଥାଆନ୍ତି। ପିଇବି ବୈଠକରେ ହିଁ ଡିଏସପିମାନଙ୍କ ବଦଳି ନେଇ ନିଷ୍ପତ୍ତି ହୋଇଥିଲା। ୩ ଘଣ୍ଟା ଧରି ପିଇବି ବୈଠକ ବସିଥିଲା। ଏଥିରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତି ଓ ସ୍ୱାକ୍ଷର ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। ସେ ତାଙ୍କ ମନ ଇଚ୍ଛା ବଦଳି କରି ଦେଇ ନାହାନ୍ତି।

ସେହିପରି ତାଙ୍କୁ ଅପ୍ରତ୍ୟାଶିତ ଭାବେ ଡିଜିପି ପଦରୁ ହଟା ଯିବା ନେଇ ସେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି। ସେ କେବଳ ଏତିକି କହିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବେ ସରକାରଙ୍କ ନିଷ୍ପତ୍ତି। ଆଉ ଏହି ଅଧିକାର ସରକାରଙ୍କର ରହିଛି। କିଏ ଡିଜିପି ପଦବୀରେ ରହିବ ବା ନ ରହିବ, ତାହାର ନିଷ୍ପତ୍ତି ନେବାର ଅଧିକାର ସରକାରଙ୍କର ରହିଛି। ଏହା ସହିତ ନବକଳେବର ବେଳେ ଡିଜିପି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ଯୋଗୁଁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ସାରଥି ପ୍ରସଙ୍ଗରେ ନିଲମ୍ବିତ କେନ୍ଦ୍ରାପଡ଼ାର ପୂର୍ବତନ ଏସପିଙ୍କ ପ୍ରତି ଅହେତୁକ ଅନୁକଂପା ପ୍ରଦର୍ଶନ କରିବା ତଥା ଏକାଧିକ ଡିଏସପିଙ୍କୁ ବଦଳି କରିବା ନେଇ ତାଙ୍କୁ ସରକାର ଡିଜିପି ପଦରୁ ହଟାଇ ଦେଇଛନ୍ତି। ଅନ୍ୟପକ୍ଷରେ କ୍ୟାଟ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ସତୀଶ ଗଜଭିୟେଙ୍କ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos