ଏସସିବିରେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

କଟକ: କଟକ ଜିଲ୍ଲା ଏସ୍‌ସିବି ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି। ଏମ୍‌ବିବିଏସ୍‌ ୪ର୍ଥ ବର୍ଷର ଜଣେ ଛାତ୍ରୀଙ୍କୁ ସିନିୟର ଛାତ୍ରମାନେ ନିର୍ଯାତନା ଦେଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଧାରା ୩୪୧, ୨୪୯, ୩୫୪, ୫୦୪, ୩୪ ଆଇପିସିରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଗତକାଲି ବାର୍ଷିକ ମୁଭି ଶୋ’ ଦେଖିବା ବେଳେ ଏହି ଘଟଣା ଘଟିଥିଲା। ସମ୍ପୃକ୍ତ ଛାତ୍ରମାନେ ଅଶ୍ଲୀଳ ଭାଷାରେ ଗାଳି ଦେବା ସହ ଖରାପ ଇଙ୍ଗିତ କରିଥିଲେ। ଏହାର ପ୍ରତିବାଦ କରିବା ପରେ ସେମାନେ ଚାପରେ ପଡ଼ି ଭୁଲ ମାଗିଥିଲେ। ହେଲେ ପରେ ପୁଣି ନିର୍ଯାତନା ଦେଇଥିଲେ।

ଛାତ୍ରୀ ଜଣଙ୍କ କହିଛନ୍ତି,“ଏସସିବି ମେଡିକାଲରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା  ପୁରୁଣା କଥା। ବାରମ୍ବାର ଛାତ୍ରୀମାନେ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ଚୁପ ରହୁଥିଲେ, ମୁଁ ମୁହଁ ଖୋଲିଛି।”

ସେ କହିଛନ୍ତି,“ଗତକାଲି ବର୍ଷିକ ମୁଭି ଶୋ’ ଦେଖିବା ବେଳେ କିଛି ଛାତ୍ର ଆମକୁ ସାଇଲେଣ୍ଟ ରାଗିଂ କରିଥିଲେ। ଏସସିବିରେ  ମେଲ୍‌ ଡୋମିନେଟେଡ୍‌ ସିଷ୍ଟମ ଚାଲିଛି। ଏମିତି ଲିଙ୍ଗଗତ ବୈଷମ କାହିଁକି?”

ସେ ଆହୁରି କହିଛନ୍ତି,“ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”