ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ମିଳିବ ବୃତ୍ତି

naveenଭୁବନେଶ୍ୱର: ସ୍କୁଲ୍‌ରେ ପଢୁଥିବା ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ବୃତ୍ତି ଦେବେ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମେ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଶ୍ରମିକ ଦିବସ ପୂର୍ବରୁ ଏପରି ଘୋଷଣା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭେଟି ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି,“ଅଷ୍ଟମ ଶ୍ରେଣୀରେ ପଢୁଥିବା ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ବାର୍ଷିକ ୨,୦୦୦ ଟଙ୍କା ଦିଆଯିବ। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ବାର୍ଷିକ ଯଥାକ୍ରମେ ୩,୦୦୦ ଓ ୪,୦୦୦ ଟଙ୍କା ଦିଆଯିବ। ମାଟ୍ରିକ୍‌ ପରୀକ୍ଷାରେ ଯେଉଁ ନିର୍ମାଣ ଶ୍ରମିକଙ୍କ ପିଲାମାନେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ସେମାନଙ୍କୁ ୧୦,୦୦୦ ଟଙ୍କାର ଏକକାଳୀନ ପୁରସ୍କାର ପ୍ରଦାନ କରାଯିବ। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ନିର୍ମାଣ ଶ୍ରମିକଙ୍କ ଝିଅମାନଙ୍କୁ ବାର୍ଷିକ ୨,୦୦୦ ଟଙ୍କା ବୃତ୍ତି ପ୍ରଦାନ କରାଯିବ।”

ମୁଖ୍ୟମନ୍ତ୍ରୀ କହିଛନ୍ତି,“ନିର୍ମାଣ ଶ୍ରମିକଙ୍କ ପରିବାରର ପ୍ରସୂତୀ ମହିଳାଙ୍କୁ ଦିଆଯାଉଥିବା ସହାୟତା ରାଶିକୁ ୮,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହ ସେମାନେ ‘ମମତା ଯୋଜନା’ରେ ମିଳୁଥିବା ସହାୟତା ମଧ୍ୟ ପାଇବେ।”

ମୁଖ୍ୟମନ୍ତ୍ରୀ କହିଛନ୍ତି,“ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ନିର୍ମାଣ ଶ୍ରମିକମାନଙ୍କୁ ଦିଆଯାଉଥିବା ସହାୟତା ରାଶିରେ ୨୦,୦୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହା ସହିତ ଏହି ଯୋଜନାରେ ଘର କରିବା ପାଇଁ ସେମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଓ ସ୍ୱଚ୍ଛ ଭାରତ ଯୋଜନାରେ ମଧ୍ୟ ଅର୍ଥ ଯୋଗାଇ ଦିଆଯିବ। ଫଳରେ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଘର କରିବା ପାଇଁ ନିର୍ମାଣ ଶ୍ରମିକମାନେ ପାଇବାକୁ ଥିବା ସହାୟତା ରାଶି ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।”

ହୃଦୟ, କିଡ୍‌ନୀ, କ୍ୟାନସର ଓ ହାଡ଼ଭଙ୍ଗା ରୋଗରେ ପୀଡ଼ିତ ନିର୍ମାଣ ଶ୍ରମିକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିର୍ମାଣ ବୋର୍ଡରେ ଅତିକମ୍‌ରେ ଏକ ବର୍ଷ ପୂର୍ବରୁ ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କୁ ଏହି ସୁବିଧା ମିଳିବ।