ଆସନ୍ତାକାଲିଠାରୁ ସ୍କୁଲ୍‌ଗୁଡ଼ିକର ଗ୍ରୀଷ୍ମ ଛୁଟି

pradeepta-mohapatra
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ୍‌ଗୁଡ଼ିକୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଜୁନ୍ ମାସରେ ରଜ ପରେ ସ୍କୁଲ୍‌ଗୁଡ଼ିକ ଖୋଲିବ।

ଆଜି ଏ ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି,“ପାଣିପାଗ ବିଭାଗଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଆଗାମୀ କିଛି ଦିନ  ଆଉ ତାପମାତ୍ରା କମିବ ନାହିଁ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ୪୧-୪୨ ଡିଗ୍ରୀ ଉପରେ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତକାଲିଠାରୁ ସ୍କୁଲ୍‌ଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ଜୁନ୍ ମାସରେ ରଜ ପରେ ସ୍କୁଲ୍‌ଗୁଡ଼ିକ ଖୋଲିବ। ତେବେ ସେତେବେଳେ ବି ଆମେ ତାପମାତ୍ରାର ସମୀକ୍ଷା କରିବୁ।”

ସେ କହିଛନ୍ତି,“ଯେଉଁ ସ୍କୁଲ୍‌ଗୁଡ଼ିକରେ ବର୍ତ୍ତମାନ ପରୀକ୍ଷା ଚାଲିଛି ସେହି ସ୍କୁଲ୍‌ଗୁଡ଼ିକ ପାଇଁ କିଛି ପ୍ରତିବନ୍ଧକ ନାହିଁ। ସେମାନେ ସକାଳେ ଓ ସନ୍ଧ୍ୟାରେ ପରୀକ୍ଷା କରିପାରିବେ।”

ସ୍ୱତନ୍ତ୍ର ରିଲିଫ୍ କମିଶନର ଆହୁରି ମଧ୍ୟ କହିଛନ୍ତି,“ଆଗୁଆ ସ୍କୁଲ୍‌ଗୁଡ଼ିକୁ ଛୁଟି କରାଯାଇଥିବା ଯୋଗୁଁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ତେବେ ସ୍କୁଲ୍‌ଗୁଡ଼ିକ ଶନିବାର ଅବା ଅନ୍ୟ ସମୟରେ ଅତିରିକ୍ତ କ୍ଲାସ୍ କରି କୋର୍ସ ଶେଷ କରିପାରିବେ।”

ସୂଚନାଯୋଗ୍ୟ, ଏଥର ଏପ୍ରିଲ୍ ମାସ ଆରମ୍ଭରୁ ଅସହ୍ୟ ଖରା ଯୋଗୁଁ ରାଜ୍ୟ ସରକାର ପ୍ରଥମେ ସ୍କୁଲ୍‌ଗୁଡ଼ିକୁ ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ। ପରେ ଏହାକୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ। ତେବେ ଗ୍ରୀଷ୍ମ ପ୍ରବାହ କମିବାର କୌଣସି ସଂକେତ ନ ମିଳିବାରୁ ସରକାର ସ୍କୁଲ୍‌ଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଅଂଶୁଘାତ ଯୋଗୁଁ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି,“ଗତକାଲି ସୁଦ୍ଧା ଅଂଶୁଘାତରେ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଆମ ପାଖକୁ ସୂଚନା ଆସିଛି। ସେଥି ମଧ୍ୟରୁ ୩୨ଟିର ତଦନ୍ତ ସରିଯାଇଛି। ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ବାକିଗୁଡ଼ିକର ତଦନ୍ତ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ଅତି ଦରକାର ନ ଥିଲେ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।