ଶିଖା ଓ ଦେବାଶିଷ ବିବାଦ: ଆପୋଷ ବୁଝାମଣା ପାଇଁ ଉଦ୍ୟମ ଆରମ୍ଭ, ଶିଖା ଅମଙ୍ଗ

କଟକ: ଶିଖା ସାମନ୍ତରାୟ ଓ ତାଙ୍କ ଦେଢଶୁର ତଥା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆଜି ଦେବାଶିଷ ସାମନ୍ତରାୟଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ନାରୀ ସୁରକ୍ଷା ସଂଗଠନର ସଭାନେତ୍ରୀ ଲଳିତା ଶତପଥୀ। ତେବେ ଆପୋଷ ବୁଝାମଣା ପାଇଁ ଶିଖା ରାଜି ନ ଥିବା ଜଣାପଡ଼ିଛି।

ସେ କହିଛନ୍ତି, “ଦେବାଶିଷ ତାଙ୍କ ଭାଇ (ଶିଖାଙ୍କ ସ୍ୱାମୀ)ଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୬୦ରୁ୬୫ ଲକ୍ଷ ଖର୍ଚ୍ଚ କରିସାରିଥିବା କହିଛନ୍ତି। ଶିଖାଙ୍କ ଝିଅର ବାହାଘର କରାଇବା ଓ ପୁଅକୁ ପାଠ ପଢ଼ାଇବା ଦାୟିତ୍ୱ ବି ତାଙ୍କର ବୋଲି ସେ କହିଛନ୍ତି। ତେବେ ଏକ ପାରିବାରିକ ମାମଲାକୁ ଘର ଭିତରେ ସମାଧାନ ନ କରି ଶିଖା ବିଭିନ୍ନ ସ୍ଥାନକୁ ଯିବା ଠିକ୍ ନୁହେଁ। ବାପା ଏବେ ବଞ୍ଚିଛନ୍ତି। ସେ ଘରର ମୁରବୀ। ତାଙ୍କ ପରାମର୍ଶକ୍ରମେ ସବୁ କାମ ହେବ ବୋଲି ସେ କହିଥିଲେ।’

ଲଳିତା ଶତପଥୀ କହିଛନ୍ତି, “ଶିଖା ମହିଳା କମିଶନଙ୍କ ପାଖକୁ ଯିବାକୁ କହୁଛନ୍ତି। ସେ ଆପୋଷ ବୁଝାମଣାରେ ରାଜି ନାହାନ୍ତି। ତେବେ ଆମେ ଆପୋଷ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବା ପାଇଁ ଉଦ୍ୟମ କରିବୁ।”

ନାରୀ ସୁରକ୍ଷା ସଂଗଠନର କର୍ମକର୍ତ୍ତାମାନେ ପ୍ରଥମେ ଦେବାଶିଷଙ୍କୁ ଭେଟିବା ପରେ ଶିଖାଙ୍କୁ ଭେଟି ଥିଲେ। ତେବେ ଏ ନେଇ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ଶିଖା ସାମନ୍ତରାୟ।

ଅନ୍ୟପକ୍ଷରେ ଓଡ଼ିଶା ନାରୀ ସୁରକ୍ଷା ମଞ୍ଚର ସଭାନେତ୍ରୀ ସସ୍ମିତା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଶିଖା ସାମନ୍ତରାୟଙ୍କୁ ଭେଟିଥିଲେ।

ସସ୍ମିତା କହିଛନ୍ତି,“ଶିଖା ଓ ତାଙ୍କର ଦେଢଶୁର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆପୋଷ ବୁଝାମଣାରେ ସମାଧାନ ହେଉ ବୋଲି ଆମେ ଚାହୁଁଛୁ। ବିଧାୟକ ତାଙ୍କ ଭାଇବୋହୂଙ୍କୁ ନ୍ୟାୟ ଦେବେ ବୋଲି ଆମର ଆଶା ଅଛି।”

ସେ କହିଛନ୍ତି,“ଶିଖା ସାମନ୍ତରାୟଙ୍କର ମୁଖ୍ୟତଃ ପାଞ୍ଚୋଟି ଦାବି ଅଛି। ପ୍ରତି ମାସରେ ଚଳିବା ପାଇଁ ତାଙ୍କୁ କିଛି ଅର୍ଥ ଦିଆଯିବାକୁ ସେ ଦାବି କରିଛନ୍ତି। ପଣ୍ଡିଚେରୀରେ ତାଙ୍କର ଏକ ଘର ଥିଲା। ସେ ଘରଟିକୁ ଦେବାଶିଷ ସାମନ୍ତରାୟ ତାଙ୍କୁ ନ ଜଣାଇ ବିକି ଦେଇଛନ୍ତି। ସେ ଏବେ ସେହି ଘରଟିକୁ ଫେରିପାଇବାକୁ ଚାହୁଁଛନ୍ତି। ଭୁବନେଶ୍ୱରରେ ତାଙ୍କର ଶ୍ୱଶୁରଙ୍କ କିଛି ସଂପତ୍ତି ରହିଛି। ଏହାର ଭାଗ ବଣ୍ଟା ହୋଇଛି। ଦେବାଶିଷ ଓ ତାଙ୍କ ଭଉଣୀମାନେ ଏଥିରୁ ଭାଗ ପାଇଥିବା ବେଳେ ଶିଖାଙ୍କ ସ୍ୱାମୀଙ୍କୁ ଭାଗ ଦିଆଯାଇନାହିଁ। ସେ ସେଥିରୁ ଭାଗ ଚାହୁଁଛନ୍ତି। ସେହିପରି ଦେବାଶିଷ ଶିଖାଙ୍କ ମା’ଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ନେଇଥିଲେ। ସେଥିରୁ ସେ କେବଳ ୨ ଲକ୍ଷ ଫେରାଇଛନ୍ତି। ବାକି ପଚାଶ ହଜାର ଟଙ୍କା ଫେରାଇ ଦେବାକୁ ସେ ଦାବି କରିଛନ୍ତି। ସେହିଭଳି ଦେବାଶିଷ ଶିଖାଙ୍କ ଭାଇ ଦ୍ୱୟଙ୍କଠାରୁ ଦୁଇଟି ଟିପର୍ ଆଣିଥିଲେ। ଟିପର୍‌ ଦୁଇଟିକୁ ନ ଫେରାଇ ବିକି ଦେଇଥିଲେ। ହେଲେ ଟଙ୍କା ଦେଇ ନାହାନ୍ତି। ତେଣୁ ଶିଖା ଦାବି କରିଛନ୍ତି ଯେ ଦେବାଶିଷ ତାଙ୍କ ଭାଇମାନଙ୍କୁ ଟିପର୍‌ ବାବଦକୁ ୩୦ ଲକ୍ଷ ଟଙ୍କା ଫେରାଇ ଦିଅନ୍ତୁ।”