ସ୍ମାର୍ଟ ସିଟି ତାଲିକାର ଶୀର୍ଷରେ ଭୁବନେଶ୍ୱର

ଭୁବନେଶ୍ୱର: ୨୦ଟି ସହରକୁ ନେଇ ପ୍ରକାଶ ପାଇଲା ପ୍ରଥମ ସ୍ମାର୍ଟ ସିଟି ତାଲିକା। ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ୱର। କେବଳ ସ୍ଥାନ ପାଇନି, ପ୍ରଥମ ସ୍ଥାନରେ ରହିଛି। ଏହି ଖବର ପ୍ରସାରିତ ହେବା ପରେ ଭୁବନେଶ୍ୱରରେ ଖୁସିର ଲହରୀ ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଭୁବନେଶ୍ୱରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହିତ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସିଟିରେ ପରିଣତ କରିବା ପାଇଁ ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହା ବହୁତ ଖୁସିର ଖବର ବୋଲି କହିବା ସହ ଭୁବନେଶ୍ୱରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭୁବନେଶ୍ୱର ଆହୁରି ବିକାଶମାର୍ଗରେ ଚାଲିବ ଓ ଯୋଗାଯୋଗ ବ୍ୟବସ୍ଥା ଉନ୍ନତି ହେବ ବୋଲି ସେ କହିଛନ୍ତି।  ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଏମସି ମେୟର, କମିଶନର ଓ ଅଧିକାରୀଙ୍କ ସମେତ ଭୁବନେଶ୍ୱରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲୋକଙ୍କ ସହଯୋଗ ବିନା ଏହା ହୋଇପାରି ନ ଥାଆନ୍ତା ବୋଲି ସେ କହିଛନ୍ତି। ସେହିପରି ଏହି ଖବର ଆସିବା ପରେ ବିଏମସିରେ ଦେଖାଯାଇଥିଲା ଉତ୍ସବର ମାହୋଲ। କର୍ପୋରେଟର, କର୍ମଚାରୀ ଓ ଖୋଦ୍ ମେୟର ଅନନ୍ତ ନାରାୟଣ ଜେନା ଏହି ଖୁସିରେ ସାମିଲ ହୋଇ ଭୁବନେଶ୍ୱରବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଛନ୍ତି, ଭୁବନେଶ୍ୱର ମ୍ୟୁନିସିପାଲିଟିର ଡେପୁଟି ମେୟର, କମିଶନରଙ୍କଠାରୁ ଆରମ୍ଭ କରି ଭୁବନେଶ୍ୱରବାସୀଙ୍କ ପ୍ରବଳ ଆଗ୍ରହ ଥିଲା ସହରକୁ ସ୍ମାର୍ଟ ସିଟିରେ ସାମିଲ କରିବାକୁ। ତାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଭୁବନେଶ୍ୱରକୁ ଏକ ପରିପୂର୍ଣ୍ଣ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ଆଗକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରାଯିବ।

କଂଗ୍ରେସ ମୁଖପାତ୍ର  ଓ ବିଜେପି ପକ୍ଷରୁ ମଧ୍ୟ ଏହାକୁ ସ୍ୱାଗତ କରାଯାଇଛି। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ କଂଗ୍ରେସ ମୁଖ୍ୟପାତ୍ର ସୁଲୋଚନା ଦାସ କହିଛନ୍ତି, ସ୍ମାର୍ଟ ସିଟି ତାଲିକାର ପ୍ରଥମ ସ୍ଥାନରେ ଭୁବନେଶ୍ୱର ରହିବା ନିଶ୍ଚିତ ଭାବେ ଖୁସିର କଥା। ସ୍ମାର୍ଟସିଟିର ଯାହା ରୂପରେଖ ରହିଛି ସେହି ଅନୁସାରେ ଆଗକୁ ବି କାର୍ଯ୍ୟ କରାଯିବ ବୋଲି ଆଶା।

କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ଆଜି ନୂଆଦିଲ୍ଲୀରେ ପ୍ରଥମ ୨୦ଟି ସ୍ମାର୍ଟ ସିଟିର ନାଁ ଘୋଷଣା କରିଥିଲେ। ତାଲିକାର ପ୍ରଥମ ସ୍ଥାନରେ ଭୁବନେଶ୍ୱର ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ପୁନେ ସହର। ସେହିପରି ରାଜସ୍ଥାନର ଜୟପୁର ତୃତୀୟ, ଗୁଜରାଟର ସୁରତ ଓ ଅହମଦାବାଦ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଷଷ୍ଠ ସ୍ଥାନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ସପ୍ତମ ସ୍ଥାନରେ କେରଳର କୋଚି ସହର ରହିଛି। ଜବଲପୁର, ସୋଲାପୁର, ଧବନଗିରି, ଇନ୍ଦୋର, ନୂଆଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍, କୋଏମ୍ବଟୁର, କାକିନାଡା, ବେଲଗାମ ଯଥାକ୍ରମେ ଆଠ, ନଅ, ଦଶ, ଏଗାର, ବାର, ତେର, ଚଉଦ ଓ ପନ୍ଦର ନମ୍ବର ସ୍ଥାନରେ ରହିଛି। ଉଦୟପୁର, ଗୌହାଟୀ, ଚେନ୍ନାଇ, ଲୁଧିଆନା ଓ ଭୋପାଲ ଯଥାକ୍ରମେ ଷୋହଳ, ସତର, ଅଠର, ଉଣେଇଶ ଓ କୋଡ଼ିଏ ନମ୍ବର ସ୍ଥାନ ରହିଛନ୍ତି।

ଭେଙ୍କେୟା କହିଛନ୍ତି, ୧୦୦ଟି ସହରକୁ ସ୍ମାର୍ଟ ସିଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ସହରର ନାମ ପ୍ରକାଶ କରାଯାଇଛି। ସ୍ମାର୍ଟ ସିଟି ଯୋଜନାରେ ସାମିଲ ହେବାକୁ ଥିବା ବାକି ସହରଗୁଡ଼ିକର ନାମ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।  ସ୍ମାଟ୍ ସିଟି ପାଇଁ ମନୋନୀତ ସହରଗୁଡ଼ିକରେ ସରକାର ଆଗାମୀ ୫ ବର୍ଷରେ ୫୦,୮୦୨ କୋଟି ଟଙ୍କା ବିନିଯୋଗ କରିବେ। ପ୍ରତିବର୍ଷ ୨୦ଟି କରି ୫ ବର୍ଷରେ ୧୦୦ଟି ସହରକୁ ସ୍ମାର୍ଟ ସିଟି କରିବାକୁ ଯୋଜନା ରହିଛି।

ସ୍ମାର୍ଟ ସିଟି ଯୋଜନା ଅନୁଯାୟୀ ଏଥିରେ ସାମିଲ ହେଉଥିବା ସହରଗୁଡ଼ିକରେ ୨୪ ଘଣ୍ଟିଆ ପାନୀୟ ଜଳ, ବିଦ୍ୟୁତ୍, ସଫେଇ, ସାର୍ବଜନୀନ ପରିବହନ, ଆଇଟି ସଂଯୋଗ, ଇ-ଗଭର୍ଣ୍ଣାସ ଆଦିର ସୁବ୍ୟବସ୍ଥା କରାଯିବ। ଏଥିରେ ଜନଭାଗିଦାରୀକୁ ବିକଶିତ କରାଯିବ।