କିଡ୍ନୀ(ବୃକକ୍) ଆମ ଶରୀରର ରକ୍ତକୁ ଛାଣି ବିଷାକ୍ତ ପଦାର୍ଥକୁ ପରିସ୍ରାରେ ବାହାର କରିଥାଏ। ବିଷାକ୍ତ ପଦାର୍ଥ ଗୁଡ଼ିକ ହେଲା ୟୁରିଆ ଓ କ୍ରିଏଟିନ୍। ଏହା ବ୍ୟତୀତ ଏହା ରକ୍ତଚାପ ସ୍ଥିର ରଖିଥାଏ। ଦେହରେ ସୋଡ଼ିୟମ ଓ ପୋଟାସିୟମର ପରିମାଣ ସ୍ଥିର ରଖିଥାଏ। ବୃକକ୍ର ୯୦ ଭାଗ ଛାଣିବା ଯନ୍ତ୍ର ଖରାପ ହେଲେ ବି ଜଣ ଜଣଙ୍କଠାରେ କିଛି ରୋଗର ଲକ୍ଷଣ ଦେଖାଯାଏ ନାହିଁ। ସେଥିପାଇଁ ରୋଗର ଲକ୍ଷଣ ଦେଖାଗଲା ବେଳକୁ ବୃକକ୍ ଖରାପ ହୋଇ ସାରିଥାଏ।
କାହାକୁ ଅଧିକ ଡର?
ଯଦି କିଡ୍ନୀରେ ଷ୍ଟୋନ୍ ହୋଇଥାଏ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ଚିକିତ୍ସା ନ କରାଯାଏ, ତା’ହେଲେ ଏହା ଖରାପ ହୋଇଯାଇଥାଏ। ସେହିଭଳି ରକ୍ତଚାପ, ଜଣ୍ଡିସ୍ ଓ ମଧୁମେହ ଆଦି ରୋଗରେ ଆକ୍ରାନ୍ତ ଲୋକେ ଚିକିତ୍ସାରେ ଅବହେଳା କଲେ କିଡ୍ନୀ ରୋଗରେ ପଡ଼ିବାର ସମ୍ଭାବନା ଅଧିକ ଥାଏ। ଏହାକୁ କ୍ରନିକ୍ ବୃକକ୍ ରୋଗ କୁହାଯାଏ।
ଲକ୍ଷଣ
କ୍ରନିକ ବୃକକ୍ ରୋଗରେ ବହୁ ଦୁର୍ବଳତା ଲାଗେ। ଗୋଡ଼ ଫୁଲିଯାଏ। ଦେହରେ ରକ୍ତହୀନତା ଲାଗି ରହେ। କାନରେ ଝଣ୍ ଝଣ୍ ଶବ୍ଦ ହୋଇଥାଏ। ଗୋଡ଼ ଝିମ୍ ଝିମ୍ ହୋଇଥାଏ। ପେଟରେ ପାଣି ଜମିବା ସହ ରକ୍ତଚାପ ବଢ଼ିଥାଏ। ଭୋକ ହୋଇ ନଥାଏ। ଯାହା ଖାଇଲେ ବାନ୍ତି ହୋଇଯାଏ। ମୁହଁ ଫୁଲିଯାଏ।
କେତେକଙ୍କର ହୃଦ୍ ରୋଗ ହୋଇ ହୃଦ୍ଘାତର ଲକ୍ଷଣ ଦେଖାଦିଏ। ନିଶ୍ଵାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଛାତିରେ ପାଣି ଜମିଯାଏ।
ଏମାନେ ଲକ୍ଷଣକୁ ଅପେକ୍ଷା କରନ୍ତୁ ନାହିଁ
ମଧୁମେହ ଓ ରକ୍ତଚାପ ରୋଗୀମାନେ ବୃକକ୍ରେ କିଛି ରୋଗର ଲକ୍ଷଣ ଦେଖା ନ ଯାଉଥିଲେ ବି ସମୟ ସମୟରେ ଏହାର ପରୀକ୍ଷା କରାଇ ନେବା ଉଚିତ। ଏଥିରେ ବୃକକ୍ର ସ୍ଥିତି ସ୍ପଷ୍ଟ ଜଣାପଡ଼ିଯାଏ।
ରୋଗର ଲକ୍ଷଣ ଅପେକ୍ଷା ପରୀକ୍ଷାରୁ ଏହା ଅଧିକ ଜଣାପଡ଼ିଥାଏ। ବୃକକ୍ରେ କୌଣସି ସମସ୍ୟା ଥିଲେ ବୃକକ୍ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହାର ଆଧୁନିକ ଔଷଧ ଚିକିତ୍ସା, ଡାଏଲିସିସ୍, ବୃକକ୍ ପ୍ରତିରୋପଣ କରିବା ଦ୍ଵାରା ରୋଗୀ ସୁସ୍ଥ ହୋଇଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।