ମାଖୁନୁ ବାଗ ହତ୍ୟା ଘଟଣା: ଭେଡେନ ଥାନାର ଦୁଇ ଅଧିକାରୀ ଗିରଫ, ବିଚାର ବିଭାଗୀୟ ତଦନ୍ତ କରିବାକୁ ଜିଲ୍ଲା ଜଜଙ୍କୁ ଚିଠି ଲେଖିଲେ ବରଗଡ଼ ଏସପି

ସୋନପୁର/ସମ୍ବଲପୁର: ସୋନପୁରର ମେଟାକାନି ଜଙ୍ଗଲରୁ ମାଖୁନୁ ବାଗଙ୍କ କଙ୍କାଳ ମିଳିବା ଘଟଣାରେ ଆଜି ବରଗଡ଼ ଜିଲ୍ଳା ଭେଡେନ ଥାନାର ଦୁଇ ଅଧିକାରୀଙ୍କୁ ଗିରଫ କରାଯାଇଛି। ସୋନପୁର ଜିଲ୍ଳା ଉଲୁଣ୍ଡା ଥାନା ପୋଲିସ ଏହି ଦୁଇ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ପୋଲିସ ଅଧିକାରୀ ଦ୍ୱୟ ହେଲେ ଏସଆଇ ସୌମ୍ୟରଞ୍ଜନ ପାତ୍ର ଓ ଏଏସଆଇ ପିତାମ୍ୱର ବେହେରା। ସେମାନଙ୍କୁ ଗିରଫ କରାଗଲା ପରେ ବୀରମହାରାଜପୁର କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନା ମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଘଟଣାରେ ସଂପୃକ୍ତ ଭେଡେନ ଥାନା ଅଧିକାରୀ ସୁଶୀଲ ନାୟକ ଓ  ତିନି ଜଣ ହୋମଗାର୍ଡ ଫେରାର ଅଛନ୍ତି। ତାଙ୍କୁ ତୁରନ୍ତ ହାଜର କରାଇବା ପାଇଁ ଉତ୍ତରାଞ୍ଚଳ ପୋଲିସ୍ ଡିଆଇଜି ପ୍ରତୀକ ମହାନ୍ତି ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ଡିଆଇଜି ପ୍ରତୀକ ମହାନ୍ତି କହିଛନ୍ତି ଯେ ଭେଡେନ ଥାନା ପୋଲିସର ଏଥିରେ ସଂପୃକ୍ତି ରହିଛି। ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।  ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବରଗଡ ଏସପି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ବରଗଡ଼ ଏସପି ଗିରଫ ଦୁଇ ପୋଲିସ୍ ଅଧିକାରୀଙ୍କ ସହିତ ଫେରାର ଓଆଇସି ସୁଶୀଲ ନାୟକ ଏବଂ କନଷ୍ଟେବଲ ଗୀତା ଭୋଇଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ ଘଟଣାର ବିଚାରବିଭାଗୀୟ ତଦନ୍ତ କରିବାକୁ ସେ ଜିଲ୍ଲା ଜଜଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୭ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅଧିକାରୀ କୌଣସି ଏକ ମାମଲାରେ ଜେରା କରିବା ପାଇଁ ଦେକୁଲବା ଗାଁର ମାଖୁନୁ ବାଗଙ୍କୁ ଥାନାକୁ ଆଣିଥିଲା। ତା’ପରଠୁ ମାଖୁନୁ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ମାଖୁନୁଙ୍କର ପତ୍ତା ପାଇ ନ ଥିଲେ। ତେବେ ଘଟଣାର ଦୁଇ ମାସ ପରେ ସେପ୍ଟେମ୍ୱର ୨୪ ତାରିଖରେ ସୋନପୁର ଜିଲ୍ଲା ମେଟାକାନି ଜଙ୍ଗଲରୁ ଏକ କଙ୍କାଳ ମିଳିଥିଲା। ଏହା ପରେ ମାଖୁନୁଙ୍କର ପୁଅ ବିଜୁ ଉଲୁଣ୍ଡା ଥାନାରେ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କୁ ଭେଡେନ ପୋଲିସ ହତ୍ୟା କରି ମେଟକାନି ଜଙ୍ଗଲରେ ଫୋପାଡି ଦେଇଛି। ଅଭିଯୋଗ ପାଇବା ପରେ ଉଲୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତା’ସହିତ କଙ୍କାଳଟିର ଡିଏନଏ ପରୀକ୍ଷା କରିଥିଲେ। ଡିଏନଏ ରିପୋର୍ଟରୁ କଙ୍କାଳଟି ମାଖୁନୁ ବାଗଙ୍କର ବୋଲି ପ୍ରମାଣିତ ହୋଇଥିଲା।