ଦୁଇ ଛାତ୍ର ଗୋଷ୍ଠୀଙ୍କ ଗଣ୍ଡଗୋଳ ବେଳେ ଲାବୋରେଟୋରୀ ଆସିଷ୍ଟାଣ୍ଟଙ୍କ ମୃତ୍ୟୁ

ସୋର: ୟୁଏନ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ କଲେଜ ଲାବ୍ରୋଟାରୀ ଆସିଷ୍ଟାଣ୍ଟ ରତିକାନ୍ତ ବେହେରାଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ଠେଲାପେଲାରେ କଲେଜ ଅଧ୍ୟକ୍ଷ ବିଜୟ ମହାପାତ୍ର ମଧ୍ୟ ଆହତ ହୋଇଛନ୍ତି।

ଗତକାଲି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଇଥିବା ମାରପିଟ୍‌ ଘଟଣାରେ ପୋଲିସ ଜଣେ ଛାତ୍ରକୁ ଗିରଫ କରିଥିଲା। ଏହାକୁ ନେଇ ଗିରଫ ଛାତ୍ରଙ୍କ ସମର୍ଥକମାନେ ଆଜି ଅଧ୍ୟାପକଙ୍କ ଚ୍ୟାମ୍ବର ଆଗରେ ଧାରଣାରେ ବସିଥିଲେ। ଏହାକୁ ଅନ୍ୟ ଛାତ୍ର ଗୋଷ୍ଠୀ ବିରୋଧ କରିବା ସହ ଧାରଣା ପ୍ରତ୍ୟାହାର ନ ହେଲେ ସେମାନେ ମଧ୍ୟ ଧାରଣାରେ ବସିବେ ବୋଲି ଧମକ ଦେଇଥିଲେ। ଏହାପରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଛାତ୍ରଙ୍କୁ ଧାରଣାରୁ ଉଠାଇବାକୁ ଚେଷ୍ଟା କରିବା ସମୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ରତିକାନ୍ତ ତଳେ ପଡିଯାଇଥିବା କୁହାଯାଉଛି।

ରତିକାନ୍ତଙ୍କ ମୃତ୍ୟୁ ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଧ୍ୟାପକମାନେ ଗଣ୍ଡଗୋଳକାରୀ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ଦାବି କରିଛନ୍ତି। ଏହାସହ ମୃତ ରତିକାନ୍ତଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ଚାକିରି ଦେବାକୁ ସେମାନେ ଦାବି କରିଛନ୍ତି।

କଲେଜକୁ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଥିବା ଅଧ୍ୟକ୍ଷ ମହାପାତ୍ର କହିଛନ୍ତି।

ରତିକାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଥିବା ପୋଲିସ କହିଛି।