ଭୁବନେଶ୍ୱର: କ’ଣ ହେବ ରାଜ୍ୟ ବଜେଟ୍ର ରୂପରେଖ? କେନ୍ଦ୍ର ବଜେଟ୍ ଆସିବା ପରେ ରାଜ୍ୟ ସରକାର କିଭଳି ପ୍ରସ୍ତୁତ କରିବେ ବଜେଟ୍? କେଉଁ କ୍ଷେତ୍ରକୁ ଦେବେ ଅଧିକ ଗୁରୁତ୍ୱ? ବିଭିନ୍ନ ଯୋଜନାରେ କିଭଳି ଅର୍ଥ ବ୍ୟୟବରାଦ ହେବ, ସେ ନେଇ ଅଙ୍କକଷୁଛି ଅର୍ଥ ବିଭାଗ। ଆଉ ପ୍ରସ୍ତୁତ କରୁଛି ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ। କୃଷି, ଜଳସେଚନ,ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ତେବେ ସରକାରଙ୍କୁ ଘାରିଛି ସମ୍ବଳ ଚିନ୍ତା।
୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୭୦ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଟାର୍ଗେଟ ରଖିଥିଲେ। କିନ୍ତୁ ଡିସେମ୍ବର ସୁଦ୍ଧା ରାଜସ୍ୱ ବାବଦକୁ ସଂଗ୍ରହ ହୋଇଛି ମାତ୍ର ୪୫ ହଜାର କୋଟି ଟଙ୍କା। ୨୦୧୫-୧୬ ଆର୍ଥିକ ବର୍ଷରେ ସାଧାରଣ ଓ ଅତିରିକ୍ତ ବଜେଟକୁ ମିଶାଇ ପ୍ରାୟ ୯୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କରୁ ଅଧିକ ବ୍ୟୟବରାଦ ରହିପାରେ। ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ କିନ୍ତୁ ବିଧାନସଭାରେ ପ୍ରଥମ ୨ ମାସର ବ୍ୟୟ ମଂଜୁରୀ ବିଲ୍ ପାରିତ ହେବ। ବଜେଟ୍ ଅନୁଦାନକୁ ଅନୁମୋଦନ ପାଇଁ ୪ ତାରିଖରେ ମନ୍ତ୍ରୀ ସ୍ତରୀୟ ବୈଠକ ବସିବ। ତେବେ କେନ୍ଦ୍ର ବଜେଟ୍ରେ ଅନୁଦାନ ହ୍ରାସ ହୋଇଥିବାରୁ ସମ୍ବଳ ଅଭାବ ମେଣ୍ଟାଇବା ପାଇଁ ଅଧିକ ଋଣ କରିବାକୁ ପଡ଼ିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ।
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟ ଅଂଶକୁ ବଦଳାଯାଇଛି। କିଛି ଯୋଜନାରେ କେନ୍ଦ୍ର-ରାଜ୍ୟ ଅଂଶର ଅନୁପାତ ୬୦-୪୦ ରହିଥିବା ବେଳେ ଆଉ କିଛି ଯୋଜନାରେ ୫୦-୫୦ ରହିଛି। ସେପଟେ ଏବେ ରାଜ୍ୟ ସରକାର ଖୋଲା ବଜାରରୁ ପ୍ରାୟ ୫ ହଜାର କୋଟି ଋଣ କରି ସାରିଲେଣି। ଆଗକୁ ରାଜ୍ୟ ସରକାର ଆହୁରି ପ୍ରାୟ ୧୦ କୋଟିରୁ ଅଧିକ ଋଣ କରିପାରନ୍ତି।
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇ କହିଛନ୍ତି ଯେ ଖର୍ଚ୍ଚ ବଢୁଛି। କିନ୍ତୁ ସେହି ଅନୁସାରେ ରାଜସ୍ୱ ଆଦାୟ ଉତ୍ସାହଜନକ ନୁହେଁ। ଯଦି ଏଭଳି ଚାଲେ, ତା’ହେଲେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବାକୁ ବାଧ୍ୟ ହେବେ। ବର୍ତ୍ତମାନ ସ୍ଥିତିରେ ବଜେଟକୁ ପରିଚାଳନା କରିବା ରାଜ୍ୟ ସରକାରଙ୍କ ପକ୍ଷରେ କଷ୍ଟକର।
ସୂଚନାଯୋଗ୍ୟ, ରାଜ୍ୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ। ୧୮ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।