ରାଜ୍ୟ କ୍ୟାବିନେଟ୍‌: ୮ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହାମଧ୍ୟରେ ରହିଛି ଡାଲି ଉପରୁ ଭାଟ୍‌ ଛାଡ଼ ଅବଧି ବୃଦ୍ଧି। ଆଗକୁ ଜିଏସ୍‌ଟି ଲାଗୁ ହେବାକୁ ଥିବାରୁ ସରକାର ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଡାଲି ଉପରେ ଭାଟ୍‌ ଛାଡ଼ ଲାଗି ନିଷ୍ପତ୍ତି ନେଇଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଷ୍ଟାଟ୍‌ଅପ୍‌ ପଲିସିରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହାଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଧିକ ପ୍ରୋତ୍ସାହନ ମିଳିପାରିବ।

ରାଉରକେଲାରେ ଏକ ଆଇଟି ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ଆବଶ୍ୟକ ହେଉଥିବା ୩.୫ ଏକର ଜମି ମାଗଣାରେ ଯୋଗାଇବାକୁ ସ୍ଥିର ହୋଇଛି।

ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ଦୈନିକ ୫ ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଓମ୍‌ଫେଡ୍‌ ପ୍ଲାଣ୍ଟ କରାଯିବ। ଏଥିପାଇଁ ୫୧ ଏକର ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି। ଏହାଛଡ଼ା ଓଡ଼ିଶାରେ ଜାତୀୟ ରାଜପଥ ନିର୍ମାଣ ଲାଗି ଏନ୍‌ଏଚ୍‌ଏଆଇକୁ ପ୍ରିମିୟମ୍‌ ଫି’ରେ ଜମି ଯୋଗାଇ ଦେବାକୁ କ୍ୟାବିନେଟ୍‌ରେ ମୋହର ଲାଗିଛି।