କେନ୍ଦ୍ରକୁ ମରୁଡ଼ି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଦେଲା ରାଜ୍ୟ; ୨୩୪୪.୯୯ କୋଟି ସହାୟତା ଦାବି

report
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ମରୁଡ଼ି କ୍ଷୟକ୍ଷତି ନେଇ କେନ୍ଦ୍ରକୁ ଚୂଡ଼ାନ୍ତ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର। ସହାୟତା ବାବଦକୁ ମୋଟ ୨୩୪୪.୯୯କୋଟି ଟଙ୍କାର ଅନୁଦାନ ଦାବି କରିଛନ୍ତି। ଯାହାକି ପୂର୍ବରୁ ମାଗିଥିବା ସହାୟତା ରାଶିଠାରୁ ୧୪୫ କୋଟି ୯୨ ଲକ୍ଷ ଟଙ୍କା ଅଧିକ। ପୂର୍ବରୁ ରାଜ୍ୟ ସରକାର ୨୧ଶହ ୯୯ କୋଟି ଟଙ୍କାର ସହାୟତା ମାଗିଥିଲେ।

ଚୂଡ଼ାନ୍ତ ରିପୋର୍ଟରେ ରାଜ୍ୟର ୨୮ଟି ଜିଲ୍ଲାର ୨୩୫ଟି ବ୍ଲକ ପ୍ରଭାବିତ ହୋଇଥିବା ଦର୍ଶାଯାଇଛି। ଏଥିରେ ରହିଛି ୩୮୩୨ଟି ପଞ୍ଚାୟତର ୨୯,୧୭୬ ଟି ଗାଁ। ତା’ସହିତ ୫୫ଟି ସହରାଞ୍ଚଳ ବି ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଥିବା ଦର୍ଶାଯାଇଛି। ମରୁଡ଼ି ଯୋଗୁଁ ଚଳିତ ବର୍ଷ ମୋଟ ୨୧ ଲକ୍ଷ ୬୦ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଏହା ମଧ୍ୟରୁ ୧୫ ଲକ୍ଷ ୩୬ ହଜାର ହେକ୍ଟର ଜମିରେ କ୍ଷୟକ୍ଷତିର ପରିମାଣ ୩୩ ପ୍ରତିଶତରୁ ଅଧିକ ବୋଲି ଦର୍ଶାଯାଇଛି। କେବଳ ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲା ମରୁଡ଼ି ପ୍ରଭାବିତ ହୋଇ ନ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି, ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଦୁଇଟି ପର୍ଯ୍ୟାୟରେ ଦୁଇଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏହି ଦୁଇଟି ପର୍ଯ୍ୟାୟରେ ୨,୧୯୯ କୋଟି ଟଙ୍କାର ସ୍ମାରକପତ୍ର ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ରିଭାଇଜ୍ କରି ୨୩୪୪.୯୯ କୋଟି ଟଙ୍କା କରାଯାଇଛି। ପୂର୍ବରୁ ଦିଆଯାଇଥିବା ସ୍ମାରକପତ୍ରରେ ରାଜ୍ୟରେ ୨୬ଟି ଜିଲ୍ଲାର ୨୧୫ ବ୍ଲକ ମରୁଡ଼ି କ୍ଷତିଗ୍ରସ୍ତ ହୋଇଥିବା ନେଇ ଦର୍ଶାଯାଇଥିଲା। ତେବେ ଚୂଡ଼ାନ୍ତ ରିପୋର୍ଟରେ ରାଜ୍ୟର ୨୮ଟି ଜିଲ୍ଲାର ୨୩୫ଟି ବ୍ଲକ୍ ମରୁଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି। ଫସଲ ଅମଳ ନେଇ ୩୦ଟି ଜିଲ୍ଲାରୁ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହି ପରିସଂଖ୍ୟାନ ଦିଆଯାଇଛି। ମାଲକାନଗିରି ଓ ଜଗତସିଂହପୁର ଜିଲ୍ଲାରେ ମରୁଡ଼ି ହୋଇନାହିଁ।

ସେ କହିଛନ୍ତି, ପୂର୍ବରୁ ଦିଆଯାଇଥିବା ଦୁଇଟି ଅନ୍ତରୀଣ ରିପୋର୍ଟରେ ୧୩.୪୧ ଲକ୍ଷ ହେକ୍ଟର ଜମିର ୩୩ ପ୍ରତିଶତ  ଫସଲ ହାନି ହୋଇଥିବା ଦର୍ଶାଯାଇଥିଲା। ବର୍ତ୍ତମାନ ଏହା ବଢ଼ିକି ୧୫. ୩୬ ଲକ୍ଷ ହେକ୍ଟର ହୋଇଯାଇଛି। ଅର୍ଥାତ ଗତ ସ୍ମାରକପତ୍ରଠାରୁ ଚୂଡ଼ାନ୍ତ ସ୍ମାରକପତ୍ରରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଥିବା ଜମିର ପରିମାଣ ୧.୯୫ ଲକ୍ଷ ହେକ୍ଟର ବଢ଼ିଛି।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ୬ଟି ହେଡରେ ସହାୟତା ମଗାଯାଇଥିଲା। ସେଇଥିରେ କେନ୍ଦ୍ର ସରକାର ୮୧୫ କୋଟି ଟଙ୍କା ଦେବାକୁ ଅନୁମୋଦନ କରିଛନ୍ତି। ଚୂଡ଼ାନ୍ତ ରିପୋର୍ଟରେ ୧୪୫ କୋଟି ୯୨ ଲକ୍ଷ ଟଙ୍କା ଅଧିକ ମଗାଯାଇଛି। ପୂର୍ବରୁ ଏଗ୍ରିକଲଚରାଲ୍ ଇନପୁଟ୍ ସବସିଡି ପାଇଁ ୯୨୭.୭୭ କୋଟି ମଗାଯାଇଥିଲା। କିନ୍ତୁ ଏବେ ଏହାକୁ ୧୦୦୦. ୬୨ କୋଟି କରାଯାଇଛି। ଏଇଥିରେ ହିଁ ୧୩୪ କୋଟି ଟଙ୍କା ବଢ଼ିଛି।

ସେ କହିଛନ୍ତି, ଭଦ୍ରକରେ ସବୁଠୁ କମ୍ ଗାଁ ମରୁଡ଼ି ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୨ଟି ଗାଁର ୧୩୩ ହେକ୍ଟର ଜମିରେ ଫସଲହାନି ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩ଟି ଗାଁର ୪୨୪୨ ହେକ୍ଟର ଜମି ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଛି।