ଷ୍ଟ୍ରାଟେଜୀ ବଦଳିଛି, ଅପରାଧ କରିବା ପୂର୍ବରୁ ଧରା ହେବେ ଅପରାଧୀ: ଡିଜିପି

dgpଭୁବନେଶ୍ୱର: ଏବେ ପୋଲିସର ଷ୍ଟ୍ରାଟେଜୀ ବଦଳିଛି। ପୂର୍ବରୁ ମାମଲା ରୁଜୁ ହେଲା ପରେ ଯାଇ ତଦନ୍ତ ହେଉଥିଲା। କିନ୍ତୁ ଏବେ ଅପରାଧୀଙ୍କୁ ଅପରାଧ ଘଟାଇବା ପୂର୍ବରୁ ଧରା ଯିବ। ରବିବାର ଭୁବନେଶ୍ୱରରେ ରାହାଗିରି ଦିବସରେ ଯୋଗ ଦେବା ଅବସରରେ ଏ କଥା କହିଛନ୍ତି ପୋଲିସ୍ ଡିଜି କେ.ବି ସିଂହ।

ସେ କହିଛନ୍ତି, ପୋଲିସ୍ ଅପରାଧୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ସେମାନଙ୍କ ଉପରେ ନଜର ରଖାଯିବ। ସେମାନେ କୌଣସି ଅପରାଧ ଘଟାଇବା ପୂର୍ବରୁ ସେମାନଙ୍କୁ ଧରାଯିବ। ସେହିପରି କିଛି ଜଣାଶୁଣା ଅପରାଧୀଙ୍କୁ ନିଜ ରାଡାରରେ ରଖିଛି ପୋଲିସ୍। ସେମାନଙ୍କୁ କୌଣସି ପ୍ରକାର ଅପରାଧ କରିବାରୁ ନିବୃତ୍ତ କରାଯିବ।

ଟେଣ୍ଡର ମାଫିଆ ସୁଶାନ୍ତ ଓ ସୁଶିଲ ଧଳସାମନ୍ତଙ୍କ ଗିରଫଦାରୀ ପୋଲିସର ଏକ ବଡ଼ ସଫଳତା ବୋଲି ପୋଲିସ୍ ଡିଜି କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଆଗକୁ ବି ମାଫିଆ ଓ ଟ୍ରାନ୍ସପୋର୍ଟ ମାଫିଆଙ୍କୁ ଧରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।

ଧଳସାମନ୍ତ ଭ୍ରାତା ଦ୍ୱୟଙ୍କ ସଂପର୍କରେ ହେଉଥିବା ତଦନ୍ତ ସଂପର୍କରେ ସୂଚନା ଦେଇ ଡିଜିପି କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ମାମଲା। ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। କିନ୍ତୁ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ସେସବୁ ସ୍ଥାନର ନାମ ବର୍ତ୍ତମାନ କହି ହେବ ନାହିଁ। ତା’ସହିତ ତଦନ୍ତର ରୂପରେଖ ସଂପର୍କରେ ମଧ୍ୟ କିଛି କହି ହେବ ନାହିଁ।

ଟେଣ୍ଡର ଫିକ୍ସିଂ, ଦାଦା ବଟି ଓ ଅନ୍ୟ ମାମଲାରେ ଗତ ଗୁରୁବାର ରାତିରେ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଏକ ଭଡ଼ା ଘରୁ ଧଳସାମନ୍ତ ଭ୍ରାତା ଦ୍ୱୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ବର୍ତ୍ତମାନ ସୁଦ୍ଧା ୨.୬୫ କୋଟିରୁ ଅଧିକ ଟଙ୍କା ସହିତ ୧୦ରୁ ଅଧିକ ବନ୍ଧୁକ ଓ ଦେଢ଼ ଶହ ଗୁଳି ଜବତ କରାଯାଇଛି। ସେହିପରି ୩ଟି ମର୍ସିଡିଜ୍ ଓ ୨ଟି ଅଡି କାର ସହିତ ଏକାଧିକ ମୋବାଇଲ୍, ଲାପଟପ୍ ଆଦି ଜବତ କରାଯାଇଛି। ସୁଶାନ୍ତ ଧଳସାମନ୍ତ ନାଁରେ ୩ଟି ହତ୍ୟାକାଣ୍ଡରେ ୱାରେଣ୍ଟ୍ ରହିଥିଲା।