ରମେଶଙ୍କ ମାମଲାରେ ତାରାଙ୍କୁ ସମନ ପ୍ରସଙ୍ଗ: ବିଧାନସଭା ଅଚଳ କଲା କଂଗ୍ରେସ

ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହିତ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ପୋଲିସ୍ ସମନ ଜାରି କରିବାକୁ ନେଇ ଶୁକ୍ରବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବିଧାନସଭା ଚାଲିଥିବା ବେଳେ ଗୃହର ଜଣେ ସଦସ୍ୟଙ୍କୁ ଏଭଳି ସମନ୍ ଜାରି କରି ସରକାର ବିରୋଧୀଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ବିଧାୟକମାନେ ଅଭିଯୋଗ […]

assembly

assembly

Rakesh Mallick
  • Published: Friday, 18 March 2016
  • Updated: 18 March 2016, 04:31 PM IST

Sports

Latest News

[caption id="attachment_74493" align="alignleft" width="300"]narasingha ବିରୋଧୀ ଦଳ ନେତା ନରସିଂହ ମିଶ୍ର[/caption]

ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହିତ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ପୋଲିସ୍ ସମନ ଜାରି କରିବାକୁ ନେଇ ଶୁକ୍ରବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବିଧାନସଭା ଚାଲିଥିବା ବେଳେ ଗୃହର ଜଣେ ସଦସ୍ୟଙ୍କୁ ଏଭଳି ସମନ୍ ଜାରି କରି ସରକାର ବିରୋଧୀଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଥିଲେ। ଆଉ ଏଥିଯୋଗୁଁ ଆଜି ପ୍ରାରମ୍ଭରୁ ହିଁ ବିଧାନସଭା ଗୃହ କାର୍ଯ୍ୟରେ ବାଧା ଉପୁଜି ଥିଲା। କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିବାରୁ ବାଚସ୍ପତି ଦିନ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ। ତା’ପରେ ବି ଗୃହ ଚାଲି ପାରି ନ ଥିଲା। କଂଗ୍ରେସ ବିଧାୟକମାନେ ପୁଣି ଏ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୩ଟା ଓ ପରେ ୫ଟା ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ।

ତେବେ ଅପରାହ୍ନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକ ଭୁଲ ଖବରକୁ ନେଇ ଗୃହରେ ପ୍ରତିବାଦ କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, “ଏପରି କୌଣସି ନୋଟିସ୍‌ ବାହିନୀପତିଙ୍କୁ ପୋଲିସ ଦେଇ ନାହିଁ କି ସେ କୌଣସି ସମନ ପାଇନାହାନ୍ତି। ମାତ୍ର ଭୁଲ୍‌ ବୁଝାମଣା ଯୋଗୁଁ ସେ ଗୃହରେ ପ୍ରତିବାଦ କରିଥିବାରୁ ଦୁଃଖିତ। ଗୃହ କାର୍ଯ୍ୟରେ ସହଯୋଗ କରାଯିବ।”

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ବିଭିନ୍ନ ଗଣମାଧ୍ୟମରେ ଏନେଇ ପ୍ରକାଶିତ ଖବରକୁ ଆଧାର କରି ସେ କହିଥିଲେ ଯେ ବିଧାନସଭା ଚାଲିଥିବା ବେଳେ ବିଧାନସଭାର ଜଣେ ସଦସ୍ୟଙ୍କୁ ପୋଲିସ୍ ସମନ୍ ଜାରି କରିବା ଠିକ କଥା ନୁହେଁ। ଏହା ବିରୋଧୀ ଦଳ ବିଧାୟକଙ୍କ ମନରେ ଭୟ ସଂଚାର କରିବା ଓ ସେମାନଙ୍କ କଣ୍ଠରୋଧ କରିବାକୁ ଉଦ୍ଦିଷ୍ଟ। ତେଣୁ ପ୍ରଶ୍ନକାଳ ବନ୍ଦ କରାଯାଇ ଏ ପ୍ରସଙ୍ଗରେ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି ଏହାକୁ ଶୁଣି ନ ଥିଲେ ଓ ପ୍ରଶ୍ନକାଳ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ଏହାର ପ୍ରତିବାଦ କରିଥିଲେ। ବିଧାୟକ ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା ପ୍ରମୁଖ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧୨ଟା ୫ ମିନିଟ୍ ଓ ପରେ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ଗୃହ ବାହାରେ ଏ ସଂପର୍କରେ ସୂଚନା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ରାଜ୍ୟ ସରକାରଙ୍କ ଅସହିଷ୍ଣୁତା ଚରମସୀମାରେ ପହଞ୍ଚିଯାଇଛି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧରେ ପୋଲିସ୍ ପ୍ରଶାସନକୁ ଲଗାଇ ସେମାନଙ୍କ କଣ୍ଠରୋଧ କରିବାକୁ ମୁଖ୍ୟମନ୍ତ୍ରୀ ଓ ସରକାର ଉଦ୍ୟମ କରିଛନ୍ତି। ଦୁର୍ଭାଗ୍ୟର କଥା ଯେ ଗୃହ ଚାଲିଥିବା ସମୟରେ ବିରୋଧୀ ଦଳର ମୁଖ୍ୟ ସଚେତକଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଛି ବୋଲି ପୋଲିସ୍ କମିଶନର ଗଣମାଧ୍ୟମରେ ବକ୍ତବ୍ୟ ଦେଇଛନ୍ତି। ଏପରି କରି ସେ ବିଧାୟକମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ବିଧାନସଭାରେ କିଭଳି ଭାବେ ବିରୋଧୀମାନଙ୍କ ଆକ୍ରମଣ ତୀବ୍ର ହେବ ନାହିଁ ସେଥିପାଇଁ ପୋଲିସ୍ ପ୍ରଶାସନ ମାଧ୍ୟମରେ ଅପଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏହା ଦୁର୍ଭାଗ୍ୟଜନକ। ଆମେ ଏହାକୁ ନିନ୍ଦା କରୁଛୁ।”

ନରସିଂହ କହିଥିଲେ,“ମୁଁ ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲି। ଆମେ ବାଚସ୍ପତିଙ୍କୁ ସୁରକ୍ଷା ମାଗିଥିଲୁ। ମୁଁ କହିଥିଲି, ଆପଣ ପ୍ରଥମେ ସୁରକ୍ଷା ଦିଅନ୍ତୁ। ପ୍ରଶ୍ନକାଳ ବନ୍ଦ କରି ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ। ଯଦି ସଦସ୍ୟମାନେ ସୁରକ୍ଷିତ ନୁହଁନ୍ତି ତା’ହେଲେ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ନିର୍ଭୀକ ଭାବରେ ସେମାନେ ନିଜର ମତ ଉପସ୍ଥାପନ କରିପାରିବେ ନାହିଁ। ମନରେ ପୋଲିସ୍‌ର ଭୟ ରହିଲେ ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ସଠିକ୍‌ ଢଙ୍ଗରେ ସମାଲୋଚନା କରିପାରିବେ ନାହିଁ।”

ସେ କହିଥିଲେ,“ସମ୍ବିଧାନ ଅନୁସାରେ ବିଧାୟକର ଅଧିକାର ଅଛି ବିଧାନସଭାକୁ ଆସିବା ପାଇଁ ଓ ନିର୍ଭୟରେ ସ୍ପଷ୍ଟ ମତ ପ୍ରକାଶ କରିବା ପାଇଁ। ଏଭଳି ନୋଟିସ୍ ଜାରି କରାଯାଇ ଜଣେ ବିଧାୟକଙ୍କୁ ବିଧାନସଭା ଆସିବା ପାଇଁ ଓ ନିର୍ଭୟରେ ମତ ପ୍ରକାଶ କରିବା ପାଇଁ ବାରଣ କରାଯାଉଛି।”

ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କିଛି ଅଭିଯୋଗ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା। ସେ କହିଥିଲେ,“ଯଦି ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ କିଛି ଅଭିଯୋଗ ଅଛି ତା’ହେଲେ ତା’ର ଅନୁସନ୍ଧାନ କରାଯାଉ। ଅନୁସନ୍ଧାନକୁ ଆମେ ମନା କରୁ ନାହୁଁ। ଏବେ ବିଧାନସଭା ଚାଲିଛି। ସେ ଗୃହରେ ଉପସ୍ଥିତ ଅଛନ୍ତି। ପୋଲିସ୍ ତାଙ୍କ ଘରକୁ ଯାଇପାରିଥାଆନ୍ତା ଓ ତାଙ୍କ ବୟାନ ରେକର୍ଡ କରିପାରିଥାଆନ୍ତା। କିନ୍ତୁ ବିଧାନସଭା ଚାଲିଥିବା ବେଳେ ସେମାନେ ନୋଟିସ୍ କାହିଁକି ଜାରି କରୁଛନ୍ତି? ବିଧାନସଭା ଚାଲିଥିବା ବେଳେ ଗୃହର ଉପସ୍ଥିତ ନରହି ଜଣେ ବିଧାୟକ ପୋଲିସ୍ ପାଖରେ ହାଜିରା ଦେବ? ଏହା ଗଣତନ୍ତ୍ର ପରମ୍ପରାର ବିରୋଧୀ। ଏହା ଶୋଭନୀୟ ନୁହେଁ। ପୁଣି ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ସେମିତି କିଛି ଠୋସ୍ ଅଭିଯୋଗ ବି ନାହିଁ।”

ଅନ୍ୟପକ୍ଷରେ ବିରୋଧୀଙ୍କ କଣ୍ଠରୋଧ ଅଭିଯୋଗକୁ ଖଣ୍ଡନ କରିଥିଲା ଶାସକ ବିଜେଡି। ବିଜେଡି ବିଧାୟକ ତଥା ମୁଖପାତ୍ର ସମୀର ଦାଶ କହିଥିଲେ, “ମୁଁ ଯେତିକି ଜାଣିଛି ରମେଶ ଜେନାଙ୍କ ମାମଲାରେ ତାରା ପ୍ରସାଦ ବାହିନୀପତିଙ୍କୁ ଦରକାର ପଡ଼ିଲେ ଡକା ଯାଇପାରେ ବୋଲି ଗତକାଲି ପୋଲିସ୍ କମିଶନର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। ଏଣୁ ତାଙ୍କୁ ସମନ ଜାରି କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କେବଳ ଗଣମାଧ୍ୟମର ଖବର ଆଧାରରେ କଂଗ୍ରେସ୍ ଏହାକୁ ଏକ ପ୍ରସଙ୍ଗ କରି ଆଜି ପ୍ରଶ୍ନକାଳକୁ ନଷ୍ଟ କରି ଦେବା ଠିକ୍ ହୋଇନାହିଁ। କୌଣସି ପ୍ରସଙ୍ଗ ନ ଥାଇ ପ୍ରଶ୍ନକାଳକୁ ଅଚଳ କରି ଦେବା ହାସ୍ୟାସ୍ପଦ ଘଟଣା।”

ସେ ଆହୁରି ମଧ୍ୟ କହିଥିଲେ, “ସରକାର ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ବିଧାୟକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ଠିକ୍ ନୁହେଁ। ଏ ସରକାରରେ ଏଭଳି କେବେ ଘଟି ନାହିଁ କି ଘଟିବାର ସମ୍ଭାବନା ନାହିଁ। ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଉ ଜଣେ ବିଧାୟକଙ୍କୁ ପୋଲିସ୍ ସମନ୍ କରିବା ନେଇ ସେମିତି କିଛି ଆଇନଗତ ବାଧା ନାହିଁ। ସିବିଆଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବି ସମନ କରିଥିଲା।”

ସୂଚନାଯୋଗ୍ୟ, ଭୁବନେଶ୍ୱର ସ୍ଥିତ ତାରା ପ୍ରସାଦ ବାହିନୀପତିଙ୍କ ବିଧାୟକ କ୍ୱାର୍ଟର୍ସରେ ରମେଶ ଓ ତାଙ୍କ ସହଯୋଗୀମାନେ ରହୁଥିବା ନେଇ ଜଣାପଡ଼ିଛି। ତାରା ବି ଏହାକୁ ସ୍ୱୀକାର କରିଛନ୍ତି। ତେବେ ବିଧାୟକ ଥିବା ବେଳେ ରମେଶ ଉକ୍ତ କ୍ୱାର୍ଟର୍ସରେ ରହୁଥିଲେ ଓ ତାଙ୍କୁ ଉକ୍ତ ଘର ଦିଆଯିବା ପରେ ସେ ରମେଶଙ୍କୁ ସେଠାରେ ରହିବାକୁ ଅନୁମତି ଦେଇଥିଲେ ବୋଲି ତାରା କହିଛନ୍ତି। କିନ୍ତୁ ରମେଶ ଥିବା ସମୟରେ ସେ କେବେ ବି ଉକ୍ତ ଘରକୁ ଯାଇନାହାନ୍ତି ବୋଲି ତାରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos