ସୁନ୍ଦରଗଡ଼ରେ ଯୁବତୀ ଚାଲାଣ ଉଦବେଗଜନକ

ସୁନ୍ଦରଗଡ଼: ହରିୟାଣାରେ ନିର୍ଯାତନାର ଶିକାର ଯୁବତୀ ଉଦ୍ଧାର ହେବା ଘଟଣାକୁ ଦିନ ବିତି ନାହିଁ ପୁଣି ଯୁବତୀର ଚାଲାଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି ଯୁବତୀ ଚାଲାଣ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ଜିଲ୍ଲାରେ ଯୁବତୀ ଚାଲାଣ ଏବେ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ସୁନ୍ଦରଗଡ଼ର ବହୁ ଗାଁରୁ ଦଲାଲମାନେ ପ୍ରଲୋଭନ ଦେଖାଇ ଯୁବତୀ ଓ ମହିଳାଙ୍କୁ ଦିଲ୍ଲୀ, ମୁମ୍ୱାଇ, ଗୋଆ ଭଳି ସହରକୁ ଚାଲାଣ କରୁଛନ୍ତି। ସେଠାରେ ପ୍ରତିଶ୍ରୁତି ମୁତାବକ ଅର୍ଥ ମିଳୁନାହିଁ। କେବଳ ମିଳୁଛି ନିର୍ଯାତନା ହିଁ ନିର୍ଯାତନା।

ଛତିଶଗଡ଼-ଝାଡଖଣ୍ଡ ଓ ଓଡ଼ିଶା, ଏହି ୩ ରାଜ୍ୟର ସୀମାନ୍ତ ଗାଁ ହେଉଛି ଲୁଲିକିଡିହି। ସୁନ୍ଦରଗଡ଼ ଜିଲ୍ଲାର ଏହି ଗାଁ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ପାଇଁ ଯେତିକି ପ୍ରସିଦ୍ଧ, ଯୁବତୀ ଚାଲାଣକୁ ନେଇ ଏବେ ସେତିକି ଚର୍ଚ୍ଚାରେ। ଦିଲ୍ଲୀରୁ ଫେରିଥିବା ଜଣେ ଯୁବତୀଙ୍କ ଘରେ ପହଞ୍ଚି ଥିଲା ଓଟିଭି ଟିମ୍। ସେଠାରୁ ଜିଲ୍ଲାରେ ଚାଲିଥିବା ଯୁବତୀ ଚାଲାଣ ଓ ନିର୍ଯାତନାର କଥା ପଦାକୁ ଆସିଥିଲା। ଓଟିଭି ଟିମ୍ ପହଞ୍ଚି ଥିବା ଲୁଲୁକିଡିହି ଗାଁର ଯୁବତୀ ଜଣଙ୍କ ମାତ୍ର ୧୫ ବର୍ଷ ବୟସର। ୨ ବର୍ଷ ତଳେ ଦିଲ୍ଲୀ ଯାଇଥିଲେ। ମାସକୁ ୧୦ ହଜାର ଟଙ୍କାର ପ୍ରଲୋଭନ ଦେଖାଇଥିଲା ଦଲାଲ ଘରକୁ ଫେରିଲା ବେଳକୁ ମାନସିକ ଭାରସାମ୍ୟ ହରାଇ ସାରିଥିଲେ ସେ। ଦିଲ୍ଲୀରେ ନିର୍ଯାତନା ଯୋଗୁଁ ଝିଅର ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’। ପୂର୍ବରୁ ପରିବାରର ୩ ଝିଅଙ୍କ ମଧ୍ୟରୁ ୨ଜଣ ୯ ବର୍ଷ ତଳେ ଦିଲ୍ଲୀ ଯାଇଥିଲେ। ଯେଉଁମାନଙ୍କ ଖୋଜ ଖବର ଏବେ କାହା ପାଖରେ ନାହିଁ। ନିକଟରେ ସାନଝିଅ ନିର୍ଯାତନାର ଶିକାର ହେବା ପରେ ଦିଲ୍ଲୀରୁ ଖସି ଆସିଥିଲେ ଗାଁକୁ।

ଲୁଲକଡିହିର ଅନେକ ପରିବାରରେ ସେହି ସମାନ କାହାଣୀ। ପୁରା ସୁନ୍ଦରଗଡ଼ ଜିଲ୍ଲାରେ ଯୁବତୀ ଚାଲାଣ ସଙ୍ଗୀନ ସମସ୍ୟା ସୃଷ୍ଟି କରିଛି। ସ୍ୱେଚ୍ଛାସେବୀ ସଂଗଠନ ପ୍ରଗତିର ତଥ୍ୟ ଆହୁରି ଉଦବେଗଜନକ। ସର୍ଭେ ଅନୁସାରେ ବାହାର ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୪୫ ହଜାର ଯୁବତୀ ଓ ମହିଳା ଚାଲାଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ୧୩ ହଜାର ନିଖୋଜ ଅଛନ୍ତି। ତିନିସ୍ତରରେ କମିଟି ଗଠନ କରାଯାଇ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଭୁପିନ୍ଦର ସିଂହ ପୁନିଆ କହିଛନ୍ତି।