ସୁନ୍ଦରଗଡ଼: ଶ୍ୱାସରୁଦ୍ଧ ହୋଇ ୪ ମୃତ, ୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଧୁତିଢିପା ଗାଁରେ ସୋମବାର ସକାଳେ ଏକ ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରବିବାର ଗାଁରେ ଏକ ବିବାହ ଉତ୍ସବ ଥିଲା। ବିଦ୍ୟୁତ୍‌ ନ ଥିବାରୁ ଏକ ଜେନେରେଟର ସାହାଯ୍ୟରେ ବାହାଘରରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ବାହାଘର ଭୋଜି ଖାଇବା ପରେ ୬ଜଣ ବ୍ୟକ୍ତି  ଜେନେରେଟର ଚାଲିଥିବା ଘରେ ଶୋଇ ପଡ଼ିଥିଲେ। ରାତିରେ ଜେନେରେଟରର ଗ୍ୟାସ୍‌ରେ ସମସ୍ତେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ବିବାହ କାମରେ ସମସ୍ତ ବ୍ୟସ୍ତ ରହି ହାଲିଆ ହୋଯାଇଥିବାରୁ ଯିଏ ଯୁଆଡେ ପାରିଲା ଶୋଇ ଯାଇଥିଲେ। ଫଳରେ ଏମାନଙ୍କ ବିଷୟରେ କେହି ଜାଣି ପାରି ନ ଥିଲେ। ସକାଳୁ ଘର ଲୋକ ତାଙ୍କୁ ଡାକିବାକୁ ଯାଇଥିବା ବେଳେ ସମସ୍ତଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଦେଖି ବାଲିଶଙ୍କରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ତଲସରା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି।