ମେଣ୍ଟଚର୍ଚ୍ଚାରେ ଘିଅ ଢାଳିଲେ ସୁର: କହିଲେ- ଦାମବାବୁ ଭଲ କଥା କହିଛନ୍ତି, ବିଜେଡି ଆଲୋଚନା କଲେ ସ୍ଵାଗତ କରିବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ୧୪୦ ବର୍ଷର ପୁରୁଣା ଦଳ। ଆମେ କାହା ପାଖକୁ ଯିବାର ନାହିଁ। ଯଦି କିଏ ଚାହୁଁଛି ଆମ ପାଖକୁ ଆସୁ। ଆମେ ସେମାନଙ୍କୁ ସ୍ଵାଗତ କରିବୁ। ରାଜ୍ୟରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ଭାବନାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏମିତି ଘିଅ ଢାଳିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ। କହିଛନ୍ତି- ଆମେ କ’ଣ ପାଇଁ କାହା ପାଖକୁ ଯିବୁ? ଦାମବାବୁ ଭଲ କଥା କହିଛନ୍ତି। ମେଣ୍ଟ ସଂପର୍କରେ ଆମ ସହିତ ବିଜେଡି ଆଲୋଚନା କଲେ ଏହା ସ୍ୱାଗତଯୋଗ୍ୟ ବୋଲି ସୁର କହିଛନ୍ତି।

ସୁର କହିଛନ୍ତି- “ମେଣ୍ଟ ହେବ କି ନାହିଁ ଫାଇନାଲ କରିବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଆମେ କି’ଏ ମେଣ୍ଟ ସଂପର୍କରେ କହିବୁ। ଆମର ଏଠି କିଛି ଫାଇନାଲ ହୁଏନାହିଁ। ଓଡ଼ିଶାରେ ମେଣ୍ଟ ହେବ କି ନାହିଁ ସେମାନେ (ସୋନିଆ ଓ ରାହୁଲ) ଫାଇନାଲ କରିବେ, ଆମେ ତାକୁ ଗ୍ରହଣ କରିବୁ।”

ଗତ ୨୪ ତାରିଖରେ ବିଜେଡି ଉପସଭାପତି ଦାମୋଦର ରାଉତ କହିଥିଲେ-“ଭାରତର ଅଖଣ୍ଡତାକୁ ରକ୍ଷା କରିବାକୁ ହେଲେ ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣୁଥିବା ବିଜେପିକୁ ଶାସନଠାରୁ ଦୂରେଇ ରଖିବାକୁ ପଡ଼ିବ। ଏଥିଲାଗି ଅନ୍ୟ କୌଣସି ଦଳ ଯଦି ବିଜେଡିକୁ ସହଯୋଗ କରିବାକୁ ଚାହେଁ, ତାହାହେଲେ ଆମେ ସେମାନଙ୍କୁ ଆନନ୍ଦର ସହକାରେ ଗ୍ରହଣ କରିବୁ। କଂଗ୍ରେସ ସହ ମିଶି ଲଢ଼ିବାରେ ବାଧା ନାହିଁ।”