ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭୁବନେଶ୍ୱରରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ

TERROR
କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସନ୍ଦିଗ୍ଧ ଆତଙ୍କବାଦୀର ସିସିଟିଭି ଫଟୋ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭୁବନେଶ୍ୱରରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ। ଏଥିପାଇଁ ଆସିଥିଲେ ୪ ସନ୍ଦିଗ୍ଧ ବିଦେଶୀ ଆତଙ୍କୀ। ରହିବା ପାଇଁ ଖୋଜୁଥିଲେ ହୋଟେଲ୍। ତେବେ ଚଢ଼ାଉ ପୂର୍ବରୁ ସେମାନେ ଫେରାର ହୋଇଯାଇଥିଲେ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଆର.ପି ଶର୍ମା। ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି।

ଡିଜିପି କହିଛନ୍ତି, ଚାରି ଜଣ ବିଦେଶୀ ଏକ ଫୋର୍ଡ ଆଇକନ ଗାଡ଼ିରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଏକ ହୋଟେଲରେ ରହିବା ପାଇଁ ଆସିଥିଲେ। ଜଣେ ବ୍ୟକ୍ତି କାରରୁ ଓହ୍ଲାଇ ହୋଟେଲ୍ ରୁମ୍ ବୁକ୍ କରିବା ପାଇଁ ଯାଇଥିଲେ। ହୋଟେଲ୍ କର୍ତ୍ତୃପକ୍ଷ ତାଙ୍କୁ ପାସପୋର୍ଟ ଓ ଅନ୍ୟ ପରିଚୟପତ୍ର ମାଗିଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ପାସପୋର୍ଟ ଅବା ଅନ୍ୟ କୌଣସି ପରିଚୟପତ୍ର ଦେଖାଇ ନ ଥିଲେ ଓ ଆସୁଛି ବୋଲି କହି ଚାଲି ଯାଇଥିଲେ। ଏ ସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା। ତେବେ ପୋଲିସ୍ ଚଢ଼ାଉ ପୂର୍ବରୁ ସେମାନେ ଚାଲି ଯାଇଥିଲେ। ସିସିଟିଭି ଯାଞ୍ଚରୁ ସେମାନେ ଆସିଥିବା ଫୋର୍ଡ ଆଇକନର ନମ୍ବର ଡିଏଲ୪ସି-୯୬୪୫ ଦିଲ୍ଲୀର ବୋଲି ଜଣାପଡ଼ିଥିଲା। ଏ ନେଇ ଦିଲ୍ଲୀ ପୋଲିସ୍ ସହିତ ଯୋଗାଯୋଗ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ଗାଡ଼ିର ନମ୍ବରଟି ଏକ ମହିନ୍ଦ୍ରା ଗାଡ଼ିର ଥିଲା। ଏଥିରୁ ସନ୍ଦେହ କରାଯାଉଛି ସେମାନେ କାରଟିକୁ ଚୋରି କରି ଆଣି ଥାଇ ପାରନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଭୁବନେଶ୍ୱର ଓ ଏହାର ଆଖାପାଖ ଅଞ୍ଚଳରେ ପୋଲିସ୍ ଚଢ଼ାଉ ଜାରି କରାଯାଉଛି।  ଏହା ସହିତ ରାଜ୍ୟର ଆଉ କିଛି ସ୍ଥାନରେ ମଧ୍ୟ ପୋଲିସ୍ ଚଢ଼ାଉ କରାଯାଉଛି। କୌଣସି ସ୍ଥାନରେ ସନ୍ଦଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ଖବର ଦେବାକୁ ଡିଜିପି ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି।

terrorist1
ସନ୍ଦିଗ୍ଧ ଆତଙ୍କବାଦୀମାନେ ଆସିଥିବା ଫୋର୍ଡ ଆଇକନ ଗାଡ଼ିର ସିସିଟିଭି ଫଟୋ

ଉକ୍ତ ହୋଟେଲ୍ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ୪ ଜଣ ବ୍ୟକ୍ତି ଏକ ଫୋର୍ଡ ଆଇକନରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରୁମ୍ ବୁକ୍ କରିବାକୁ ରିସେପସନକୁ ଆସିଥିଲେ। ସେ ୪ ଜଣ ରହିବା ପାଇଁ ୨ଟି ରୁମ୍ ବୁକ୍ କରିବାକୁ କହିଥଲେ। ରୁମ୍ ବୁକ୍ ପାଇଁ ପଇସାପତ୍ର କଥା ଛିଣ୍ଡିବା ପରେ ତାଙ୍କୁ ପାସପୋର୍ଟ ଅନ୍ୟ ପରିଚୟପତ୍ର ମଗା ଯାଇଥିଲା। କିନ୍ତୁ ପରିଚୟପତ୍ର ଆଣୁଛି ବୋଲି କହି ସେ ସେଠାରୁ ଚାଲି ଯାଇଥିଲେ। ସେ ଅଣଓଡ଼ିଆ ଥିଲା ଏବଂ ହିନ୍ଦୀ ଓ ଇଂରାଜୀ ଭାଷାରେ କଥା ହେଉଥିଲେ। ତେବେ ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ୍ ତୁରନ୍ତ ଆସି ପହଞ୍ଚିଥିଲା। ସିସିଟିଭି ଫୁଟେଜକୁ ପୋଲିସ୍ ଯାଞ୍ଚ୍ କରିଥିଲେ।

ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉଚ୍ଚତା ପାଖାପାଖି ୬ ଫୁଟ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ଖବର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ପୋଲିସ୍ ହୋଟେଲର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି। କଂପ୍ୟୁଟରର ହାର୍ଡ ଡିସ୍କ ମଧ୍ୟ ଜବତ କରିଛି ପୋଲିସ୍। ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ତଦନ୍ତ କରିଛନ୍ତି।

ଭୁବନେଶ୍ୱରରେ ହାଇ ଆଲର୍ଟ, ୩ ପୋଲିସ କର୍ମଚାରୀଙ୍କୁ ପଚରାଉଚରା

ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ପରେ ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ପଡ଼ୋଶୀ ଥାନା ଗୁଡିକୁ ସତର୍କ ରହିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ଜିଲ୍ଲାର ଏସପିଙ୍କ ସହ ଡିଜି କଥା ହୋଇ ସତର୍କ ରହିବାକୁ କହିଛନ୍ତି। ଏହାସହ ସନ୍ଦିଗ୍ଧ ଆତଙ୍କବାଦୀ ଓ ଗାଡିର ଫଟୋ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି। ସନ୍ଦିଗ୍ଧଙ୍କ ସହିତ ହୋଟେଲରେ ଜଣେ ପୋଲିସ ଅଧିକାରୀ କଥାବାର୍ତ୍ତା ହୋଇଥିବା ସୂଚନା ଆଧାରରେ ଏସଟିଏଫ୍ ଖାରବେଳ ନଗର ଥାନାର ୩ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରୁଛି। ଖାରବେଳ ନଗର ଥାନା ଅଧିକାରୀଙ୍କ ସମେତ ଜଣେ ସବଇନ୍ସପେକ୍ଟର ଓ କନଷ୍ଟେବଳଙ୍କୁ ଏସଟିଏଫ ପଚରାଉଚରା କରୁଛି। ଥାନା ଅଧିକାରୀଙ୍କୁ ପଚରାଉଚରା ସରିଛି। ସବ୍ ଇନ୍ସପେକ୍ଟର ଓ କନଷ୍ଟେବଳଙ୍କୁ ପଚରାଉଚରା କରାଯିବ। ସେମାନଙ୍କ ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢିବ ବୋଲି ପୋଲିସ କମିଶନର କହିଛନ୍ତି।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜ୍ୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ପାଇଁ ହାଇଆଲର୍ଟ ଜାରି କରାଯାଇଥିଲା। ଏହି ଘଟଣା ଆସିବା ପରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଇ ମାସ ପୂର୍ବରୁ କଟକର ଜଗତପୁରରୁ ଅଲ କଏଦାର ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା। ସେହିପରି ପୁରୀ ସିରିଜ୍ ଟ୍ରେନ ପୋଡ଼ି ଘଟଣାରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ରାମଚନ୍ଦ୍ରନ ସୁବାସକୁ ଗିରଫ କରାଯାଇଛି।