ମେଟ୍ରିମୋନିଆଲ୍‌ ସାଇଟ୍‌ରୁ ଜୀବନସାଥୀ ବାଛିବା ହୋଇପାରେ ବିପଦ; ଜାଣନ୍ତୁ କେଉଁ ଦିଗ ପ୍ରତି ରହିବେ ସାବଧାନ

ଉପଯୁକ୍ତ ଜୀବନସାଥୀ ପାଇବା ଏତେ ସହଜ ହୋଇନଥାଏ। ଅନେକ କ୍ଷେତ୍ରରେ ଦେଖାଯାଏ ଜଣେ ଯେତେବେଳେ ବିବାହ କରିବାକୁ ଉପଯୁକ୍ତ ପାତ୍ର ଅବା ପାତ୍ରୀଟିଏ ପାଏ ନାହିଁ ସେତେବେଳେ ସେ ମେଟ୍ରିମୋନିଆଲ୍‌ ସାଇଟ୍‌ର ସାହାଯ୍ୟ ନେଇଥାନ୍ତି। ମେଟ୍ରିମୋନିଆଲ୍‌ ସାଇଟ୍‌ ଗୁଡ଼ିକରେ ଗୋଟିଏ କ୍ଲିକ୍‌ରେ ହିଁ ଲାଇଫ୍ ପାର୍ଟନର ମିଳିଥାଏ ବୋଲି ଏହି ସାଇଟ୍‌ ଗୁଡିକ ଯୁକ୍ତି କରିଥାନ୍ତି। ଏହି ସାଇଟ୍‌ ଗୁଡିକରୁ ପୁଅ ହେଉ ଅବା ଝିଅ ସେମାନଙ୍କ ସଂପର୍କରେ ଅନେକ ସୂଚନା ମିଳିଥାଏ। କିନ୍ତୁ ସବୁବେଳେ ଏହି ତଥ୍ୟ ବା ସୂଚନା ବିଶ୍ୱାସ କରିବା ଠିକ୍‌ କି? ଭୁଲ୍‌ ସୂଚନାକୁ ସତ ବୋଲି ଭାବି ଆପଣ ଠକାମିର ମଧ୍ୟ ଶିକାର ହୋଇପାରନ୍ତି। ତେବେ ଆପଣଙ୍କର ଟିକିଏ ସାବଧାନତା ଏପରି ଠକାମିରୁ ଆପଣଙ୍କୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଯତ୍ନବାନ ହେଲେ ଆପଣ ଠକାମିରୁ ରକ୍ଷା ପାଇପାରିବେ।
ମେଟ୍ରିମୋନିଆଲ୍‌ ୱେବସାଇଟ୍‌ର ବିଶ୍ୱସନୀୟତାକୁ ଯାଞ୍ଚ କରନ୍ତୁ: ଅନେକ ମେଟ୍ରିମୋନିଆଲ୍ ସାଇଟ୍ ରହିଛି। ତେଣୁ ଯେକୌଣସି ମେଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜର ପ୍ରୋଫାଇଲ୍‌ ବନେଇବା ପୂର୍ବରୁ ଏହାର ବିଶ୍ୱସନୀୟତାକୁ ଯାଞ୍ଚ କରି ନିଅନ୍ତୁ। ଆପଣଙ୍କ ଯୋଜନା ସଂପର୍କରେ ସାଙ୍ଗସାଥୀମାନଙ୍କୁ ଜଣାନ୍ତୁ। ନଚେତ୍‌ ମେଟ୍ରିମୋନିଆଲ୍‌ ସାଇଟ୍‌ର ସାହାଯ୍ୟ ନେଇ ବିବାହ କରିଥିବା ଲୋକଙ୍କ ସହିତ କଥା ହୁଅନ୍ତୁ ଓ ସେମାନଙ୍କ ପରାମର୍ଶ ନିଅନ୍ତୁ।
arr

ପସନ୍ଦ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣନ୍ତୁ: କୁହାଯାଏ, ବହିକୁ ଏହାର କଭର ଦେଖି ପଢ଼ିବେ କି ନାହିଁ ବିଚାର କରିବେ ନାହିଁ। ଏହା ମେଟ୍ରିମୋନିଆଲ୍‌ ସାଇଟ୍‌ ଉପରେ ମଧ୍ୟ ଲାଗୁ ହୋଇଥାଏ। କୌଣସି ପ୍ରୋଫାଇଲ୍‌ରେ ଦିଆଯାଇଥିବା ସୂଚନାକୁ ସତ ବୋଲି ସଙ୍ଗେ ସଙ୍ଗେ ମାନନ୍ତୁ ନାହିଁ। ଏହା ମିଥ୍ୟା ମଧ୍ୟ ହୋଇପାରେ। ବାସ୍ତବରେ ସେପରି କୌଣସି ବ୍ୟକ୍ତିଙ୍କୁ ଦେଖା କରିବା ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟରୁ ସେହି ବ୍ୟକ୍ତିର ବ୍ୟାକ୍‌ଗ୍ରାଉଣ୍ଡ ବିଷୟରେ ଜାଣନ୍ତୁ। ଏଥିପାଇଁ ସାଙ୍ଗସାଥୀଙ୍କର ମଧ୍ୟ ସହଯୋଗ ନିଅନ୍ତୁ।  ଯଦି ଆପଣ ଦୁଇ ଜଣଙ୍କର କିଛି ଗୁଣ ମେଳ ଖାଉଛି, ତେବେ ତାହା ସତ କି ନାହିଁ ପଚାରି ଜାଣିବାକୁ ଚେଷ୍ଟା କରନ୍ତୁ।
ସର୍ବଦା ସାର୍ବଜନୀନ ସ୍ଥାନରେ ଦେଖା କରନ୍ତୁ: ପ୍ରୋଫାଇଲରୁ ସେହି ବ୍ୟକ୍ତିଙ୍କର ବ୍ୟାକ୍‌ଗ୍ରାଉଣ୍ଡ ଚେକ୍‌ କରିବା ପରେ ଯଦି ଆପଣଙ୍କୁ ଲାଗୁଛି ସାଇଟ୍‌ରୁ ପାଇଥିବା ତଥ୍ୟ ସତ, ତେବେ ସେହି ବ୍ୟକ୍ତିଙ୍କୁ ଦେଖା କରନ୍ତୁ। କିନ୍ତୁ ଦେଖା କରିବା ସମୟରେ ମଧ୍ୟ ସାବଧାନ ଅବଳମ୍ବନ କରିବା ଜରୁରୀ। ସବୁବେଳେ ସାର୍ବଜନୀନ ସ୍ଥାନ ଅବା ଜନଗହଳି ଥିବା ଜାଗାରେ ହିଁ ଦେଖା କରନ୍ତୁ। କାରଣ ଆପଣ ଜାଣିନାହାନ୍ତି ସାମ୍ନା ଲୋକ କିପରି? ପରେ ପସ୍ତେଇବାଠାରୁ ଭଲ ସର୍ତକ ହେବା।
love

ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦିଅନ୍ତୁ ନାହିଁ: ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କୁ ଦେଖା କରୁଛନ୍ତି, ତେବେ ଏହା ବାଧ୍ୟତାମୂଳକ ନୁହେଁ ଯେ ତାଙ୍କୁ ହିଁ ବିବାହ କରିବେ। ଦ୍ୱିତୀୟ କଥା ହେଲା, ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସବୁକଥା ଜଣାନ୍ତୁ ନାହିଁ। ଯଦି ସେହି ବ୍ୟକ୍ତି ଆପଣଙ୍କୁ ସମ୍ପର୍କ, ଯୌନ ଜୀବନ କିମ୍ବା ଭବିଷ୍ୟତ ଯୋଜନା ସମ୍ପର୍କରେ ଅଧିକ ପ୍ରଶ୍ନ କରନ୍ତି ତେବେ ସାବଧାନ ରୁହନ୍ତୁ। ପ୍ରଥମ ଦେଖାରେ ସେ ଆପଣଙ୍କୁ ଘରକୁ ନିମନ୍ତ୍ରଣ କଲେ ଯିବାକୁ ମନା କରିବା ଆପଣଙ୍କ ପାଇଁ ଭଲ ହେବ।
ଆର୍ଥିକ ସହାୟତା କରନ୍ତୁ ନାହିଁ: ମେଟ୍ରିମୋନିଆଲ ଦୁନିଆ ସୁରକ୍ଷିତ ନୁହେଁ। ଅନେକବାର ଦେଖିବାକୁ ମିଳିଛି ଏହି ସାଇଟ୍‌ରେ ଲୋକ ଠକାମିର ଶିକାର ହୋଇଥାନ୍ତି। କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ସାଇଟ୍‌କୁ ଅନ୍ୟକୁ ଧୋକା ଦେବା ଓ ଫସାଇବା ପାଇଁ ବ୍ୟବହାର କରିଥାଆନ୍ତି। ପ୍ରଥମ ଦେଖାରୁ ହିଁ କିଛି ବ୍ୟକ୍ତି ଖରାପ ପରିସ୍ଥିତି ଦେଖାଇ ପଇସା ସାହାଯ୍ୟ ମାଗିଥାନ୍ତି। ଏହି ସମୟରେ ଆପଣଙ୍କୁ ଚତୁରତାର ସହ କାର୍ଯ୍ୟ କରିବାକୁ ପଡ଼ିବ।