ଯୁବତୀଙ୍କୁ କମେଣ୍ଟ୍ ଓ ମା’କୁ ହତ୍ୟା ଘଟଣା: ପୋଲସରା ଥାନାରେ ପୋଡ଼ାଜଳା, ଏସ୍‌ଆଇ ନିଲମ୍ବିତ

tension-in-ganjamଛତ୍ରପୁର: ଗଞ୍ଜାମ ଜିଲ୍ଲା ଭାବରଡ଼ା ଗାଁରେ ଚାରି ଜଣ ଯୁବକ ଜଣେ ଯୁବତୀଙ୍କୁ କମେଣ୍ଟ୍ ମାରିବା ଓ ତାଙ୍କ ମା’ଙ୍କୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ଆଜି ସ୍ଥାନୀୟ ଲୋକେ ପୋଲସରା ଥାନାରେ ଭଙ୍ଗାରୁଜା କରିବା ସହିତ ଏକ ପୋଲିସ୍‌ ଜିପ୍‌କୁ ଜାଳି ଦେଇଛନ୍ତି। ମହିଳାଙ୍କ ମୃତଦେହକୁ ରଖି ସେମାନେ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଖବର ପଇ ବିଧାୟକ ଶ୍ରୀକାନ୍ତ ସାହୁ ଥାନାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଆସି ବୁଝାସୁଝା କରିବା ପରେ ସେମାନେ ରାସ୍ତା ଅବରୋଧରୁ ହଟିଥିଲେ। ଏହି ଘଟଣାକୁ ନେଇ ପୋଲିସ୍ ଡିଜି କେ.ବି ସିଂହ ପୋଲସରା ଥାନା ଏସ୍‌ଆଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ଗଞ୍ଜାମ ଏସ୍‌ପି ଆଶିଷ ସିଂହ କହିଛନ୍ତି, “ସରକାରୀ ଜିନଷପତ୍ର ଭଙ୍ଗାରୁଜା କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଭାବରଡ଼ା ଗାଁର ପ୍ରକାଶ ସ୍ୱାଇଁଙ୍କ ଝିଅକୁ ସେହି ଗାଁର ୪ ଜଣ ଯୁବକ କମେଣ୍ଟ୍ ମାରିଥିଲେ। ଏ ନେଇ ସେ ପୋଲସରା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଗତକାଲି ସନ୍ଧ୍ୟାରେ ପ୍ରକାଶ ଓ ତାଙ୍କ ସ୍ତ୍ରୀ କମଳା ବିଲରେ କାମ କରୁଥିବା ବେଳେ ଗାଁର ଚାରି ଜଣ ଯୁବକ ମନୋଜ ନାହାକ, ନାରାୟଣ ନାହାକ, ସୁବାସ ଜେନା ଓ ଅକ୍ଷୟ ସାହୁ ସେମାନଙ୍କୁ ଆକ୍ରମଣ କରି ଥିଲେ ବୋଲି ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କମଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶଙ୍କ ଅବସ୍ଥା ଗୁରୁତର ରହିଛି।