ଭୁବନେଶ୍ୱର: ଜୈବ ସନ୍ତୁଳନ ରକ୍ଷା ଲାଗି ଅନୁଗୋଳରେ ଥିବା ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ବାଘ। ଏନେଇ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ। ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ଆଗକୁ ରାଜ୍ୟର ଅନ୍ୟ ବନାଞ୍ଚଳରେ ମଧ୍ୟ ବାଘ ଛଡ଼ାଯିବ। ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହି ଯୋଜନା, ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧିରେ ସହାୟକ ହେବା ଆଶା କରାଯାଉଛି।
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସାତକୋଶିଆ ଅଭୟାରଣ୍ୟରେ ଅଛନ୍ତି ବିଭିନ୍ନ ପ୍ରକାର ଜୀବଜନ୍ତୁ। ସମୟ ସମୟରେ ଏମାନଙ୍କ ବଂଶବୃଦ୍ଧି ଯୋଗୁଁ ସୃଷ୍ଟି ହେଉଛି ପରିବେଶ ଅସନ୍ତୁଳନ। ଏଥିରେ ସମାନତା ଆଣିବାକୁ ବନ ବିଭାଗ ପ୍ରସ୍ତୁତ କରିଛି ଏକ ପାଇଲଟ ପ୍ରଜେକ୍ଟ। ଏହା ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ବାଘ। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଯୋଡ଼ା ମାଈ ଓ ଅଣ୍ଡିରା ବାଘକୁ ଛାଡିବା ଲାଗି ଯୋଜନା ରହିଛି।
ଏହା ଦ୍ୱାରା ବାଘଙ୍କ ବଂଶ ବୃଦ୍ଧି ହେବ ବୋଲି ଆଶା କରାଯାଉଥିବା ୱାଇଲ୍ଡ ଲାଇଫ୍ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ପୂର୍ବରୁ ମହାରାଷ୍ଟ୍ରର ସାରିସ୍କା ଓ ମଧ୍ୟପ୍ରଦେଶର ପାନ୍ନା ଜାତୀୟ ବାଘ ଉଦ୍ୟାନରେ ଏଭଳି ଯୋଜନା ବେଶ୍ ଫଳପ୍ରଦ ହୋଇଛି। ଏହା କିଭଳି ଭାବେ ସେଠାରେ କାର୍ଯ୍ୟକାରୀ କରାଗଲା ଓଡ଼ିଶା ବନ ବିଭାଗ କର୍ମଚାରୀ ଯାଇ ଅନୁଧ୍ୟାନ କରିବେ। ଏଥିପାଇଁ ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି (ଏନ୍ଟିସିଏ) କର୍ତ୍ତୃପକ୍ଷଙ୍କ ପରାମର୍ଶ ଓ ଅନୁମତି ନିଆଯିବ। ସାତକୋଶିଆ ଜଙ୍ଗଲରେ ହରିଣ ଓ ଅନ୍ୟ ବନ୍ୟଜନ୍ତୁ ପର୍ଯ୍ୟାପ୍ତ ସଂଖ୍ୟାରେ ଥିବାରୁ ବାଘଙ୍କ ଲାଗି ଖାଦ୍ୟର ଅଭାବ ରହିବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।