ଟିଟିଲାଗଡ଼ରେ ଏପ୍ରିଲ୍‌ ତାପମାତ୍ରା ରେକର୍ଡ ଭାଙ୍ଗି ୪୮.୫ ଛୁଇଁଲା

ଭୁବନେଶ୍ୱର: ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ର ତାପମାତ୍ରା ଆଜି ଏପ୍ରିଲ୍ ମାସରେ ସର୍ବକାଳୀନ ରେକର୍ଡ ସ୍ଥାପନ କରି ୪୮.୫ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି। ଏହା ପୂର୍ବରୁ ଏପ୍ରିଲ୍ ମାସରେ ସର୍ବାଧିକ ତାପମାତ୍ରା ଥିଲା ୪୮.୧ ଡିଗ୍ରୀ ଯାହା ଏପ୍ରିଲ୍ ୩୦, ୧୯୯୯ ମସିହାରେ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି।

ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୮ ଡିଗ୍ରୀ ରହିଥିଲା। ଗତ ୧୯ ତାରିଖରୁ ଏଠାରେ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିଛି। ଦିନକୁ ଦିନ ପାରଦ ଚଢ଼ୁ ଥିବା ଯୋଗୁ ସହରରେ ଅଘୋଷିତ କର୍ଫ୍ୟୁ ସ୍ଥିତି ଉପୁଜିଛି। ପ୍ରଚଣ୍ଡ ଗରମ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।

କେବଳ ଟିଟିଲାଗଡ଼ ନୁହେଁ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିମଧ୍ୟରୁ ୮ଟି ସ୍ଥାନର ତାପମାତ୍ରା ୪୪ ଡିଗ୍ରୀ ବା ତା’ ଉପରେ ରହିଥିଲା।

ସୋନପୁରରେ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୫ ଡିଗ୍ରୀ ରହିଥିଲା। ତାଳଚେରରେ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୪.୫, ଅନୁଗୋଳରେ ୪୪.୧, ସୁନ୍ଦରଗଡ଼ରେ ୪୪, ହୀରାକୁଦରେ ୪୩.୯, ଢେଙ୍କାନାଳରେ ୪୩.୬, ଝାରସୁଗୁଡାରେ ୪୨.୯, ବାରିପଦାରେ ୪୨.୪, ଚାନ୍ଦବାଲିରେ ୪୧.୭, କେନ୍ଦୁଝରଗଡ଼ରେ ୪୧.୫ ଓ ବାଲେଶ୍ୱରରେ ୪୧.୨ ଡିଗ୍ରୀ ସେଲସିୟସ ରହିଥିଲା।

ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୪୧.୮ ଓ ୪୦.୮ ଡିଗ୍ରୀ ରହିଥିଲା।

ସେହିପରି କୋରାପୁଟରେ ୩୮.୪ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡିରେ ୩୮, ପୁରୀରେ ୩୨.୩, ପରାଦ୍ୱୀପରେ ୩୦.୮ ଓ ଗୋପାଳପୁରରେ ୩୦.୪ ଡିଗ୍ରୀ ସେଲସିୟସ ରହିଥିଲା।