ବଲାଙ୍ଗିର ପ୍ରସିଦ୍ଧ ଶୁଲିଆ ପୀଠ ରକ୍ତ ରଞ୍ଜିତ

ବଲାଙ୍ଗିର: ଆଜି ବଲାଙ୍ଗିର ପ୍ରସିଦ୍ଧ ଶୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଛି। କୁକୁଡ଼ା, ବୋଦା ଓ ପୋଢ଼ ବଳି ପଡ଼ିଛନ୍ତି। ଦୂରଦୂରାନ୍ତରୁ ଭକ୍ତମାନେ ପୀଠକୁ ଆସୁଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗତକାଲି ରାତିରେ ନିଶି ପୂଜା ସରିବା ପରେ ଆଜି ସକାଳେ ପଞ୍ଚୁବାଦ୍ୟ ଦୁଲଦୁଲିର ତାଳେତାଳେ ପାରମ୍ପରିକ ଅସ୍ତଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀମାନେ ଶୋଭାଯାତ୍ରାରେ ଖଇରଗୁଡ଼ା ଓ କୁମୁରିଆ ଗାଁ ସାନ ଖଳାରେ ପହଞ୍ଚିଥିଲେ। ରୀତିନୀତିରେ ପୂଜା ସରିବା ପରେ ପ୍ରଥମେ କୁକୁଡ଼ା ବଳି ଦିଆ ଯାଇଥିଲା। ପାଦ ବୋଦା ବଳି ପଡ଼ିବା ପରେ ସାନ ଖଳାରେ ମାନସିକଧାରୀଙ୍କ ବୋଦା, କୁକୁଡ଼ା ଓ ପୋଢ଼ ବଳି ପକାଯାଇଥିଲା। କିଛି ସମୟ ପରେ ବଡ଼ ଖଳାରେ ପୋଢ଼ ବଳି ପଡ଼ିବ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ କିଛି ପ୍ରତିବନ୍ଧକ ନ ଥିବାରୁ ଅଧିକ ସଂଖ୍ୟକ ବଳି ପଡ଼ିବ ବୋଲି ଅନୁମାନ କରାଯାଉଛି।

ପୀଠ ଓ ଆଖପାଖ ଅଞ୍ଚଳରେ ୪ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।