ନବୀନ ନିବାସରେ ସୌମ୍ୟରଞ୍ଜନ: କହିଲେ ନଥିଲା ରାଜନୈତିକ ସାକ୍ଷାତ

ଭୁବନେଶ୍ୱର: ନବୀନ ନିବାସରେ ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ସଂଧ୍ୟାରେ ସୌମ୍ୟରଞ୍ଜନ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ଓ ସୌମ୍ୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ତେବେ ନବୀନ ନିବାସରୁ ବାହାରିବା ପରେ ସୌମ୍ୟରଞ୍ଜନ କହିଛନ୍ତି,“ମୁଖ୍ୟମନ୍ତ୍ରୀ ଡାକିଥିଲେ ଦେଖା କରିବାକୁ ଯାଇଥିଲି। ମୁଖ୍ୟମନ୍ତ୍ରୀଙ୍କ ସହିତ ଚାଷୀଙ୍କ ସମସ୍ୟା, ନିଶା ନିବାରଣ, ଭାଷା ଆନ୍ଦୋଳନ ଓ ଚିଟ୍‌ଫଣ୍ଡ୍ ଟଙ୍କା ଫେରସ୍ତ ନେଇ ଆଲୋଚନା ହୋଇଛି। କୌଣସି ରାଜନୈତିକ ଆଲୋଚନା ହୋଇନି।”

ସେ କହିଛନ୍ତି,“ଦଳ ଓ ବ୍ୟକ୍ତିଙ୍କୁ ନେଇ ରାଜନୀତି କରା ନ ଯାଉ। ପ୍ରସଙ୍ଗକୁ ନେଇ ରାଜନୀତି ହେଉ। ମୌଳିକ ସମସ୍ୟା ନେଇ ଆମେ ସମସ୍ତେ ଏକାଠି ହେବା ଉଚିତ।”

ବିଜେଡିରେ ଯୋଗଦେବା ନେଇ ସୌମ୍ୟରଞ୍ଜନ କହିଲେ,“ମୋର ବିଜେଡିରେ ଯୋଗ ଦେବାର ନାହିଁ। ଆମ ଓଡ଼ିଶା ପାର୍ଟି ଗୋଟିଏ ଛୋଟ ଦଳ। ୨୦୧୯ ନିର୍ବାଚନ ବହୁ ଡେରି ଅଛି।”