ବସ୍ ପୋଡ଼ି ଘଟଣା: ପୁରୀକୁ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: ପିପିଲି ହାଟସାହି ଛକରେ ଗତକାଲି ୩ଟି ବସ୍‌ ପୋଡି ଦିଆଯିବା ପ୍ରତିବାଦରେ ଆଜିଠାରୁ କଟକ-ଭୁବନେଶ୍ୱରରୁ ପୁରୀକୁ ବସ୍‌ ଚଳାଚଳ କରୁନାହିଁ। ସେହିପରି କୋଣାର୍କ, ନିମାପଡ଼ା ଓ ଅସ୍ତରଙ୍ଗକୁ ମଧ୍ୟ ବସ୍‌ ଚଳାଚଳ ବନ୍ଦ ଅଛି। ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ବସ୍‌ ମାଲିକ ସଂଘକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ସମର୍ଥନ କରିଛି।

ଗତକାଲି ଅନୁଷ୍ଠିତ ହୋଇଥିବା ବୈଠକ ପରେ ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଥିଲେ,“ପୋଡି ଦିଆଯାଇଥିବା ବସ୍‌ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ଏହାଛଡ଼ା କିଛି କିସ୍ତି ଛାଡ଼ କରିବା ପାଇଁ ରାଜ୍ୟ ସରକାର ବୀମା କମ୍ପାନୀ ସହିତ ଆଲୋଚନା କରନ୍ତୁ। ବସ୍‌ରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ। ଏହି ସବୁ ଦାବି ପୂରଣ ନ ହେଲେ ଗାଡ଼ି ଚଳାଚଳ ବନ୍ଦ ରହିବ।”

ସୂଚନାଯୋଗ୍ୟ,ପୁରୀରୁ ଭୁବନେଶ୍ୱର ଆସୁଥିବା “ଶାରଳା” ବସ୍‌ ଗତକାଲି ପିପିଲି ହାଟସାହି ଛକରେ ମୋପେଟ୍‌କୁ ଧକ୍କା ଦେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ଦୁର୍ଘଟଣା ଘଟାଇଥିବା ଓ ଅନ୍ୟ ଦୁଇଟି ବସ୍‌ରେ ନିଆଁ ଲଗାଇ ଦେଇଥିଲେ।