ପରିବା ଅଭାବୀ ବିକ୍ରି ପ୍ରସଙ୍ଗ: ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ପରିବା ଅଭାବୀ ବିକ୍ରି ତାତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଦୁଇ ଥର ମୁଲତବି ରଖିଥିଲେ। ଏହା ପରେ ବି ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ଗତକାଲି କେନ୍ଦୁଝରରେ ଟମାଟୋ  ଅଭାବୀ ବିକ୍ରିକୁ ନେଇ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଥିଲେ ଓ ଗୃହରେ ହଟ୍ଟଗୋଳ କରିଥିଲେ। ଅଚଳାବସ୍ଥା ଯୋଗୁଁ ବାଚସ୍ପତି ପ୍ରଥମେ ପ୍ରଥମେ ଗୃହକୁ ୧୫ ମିନିଟ୍ ମୁଲତବି ରଖିଥିଲେ। ଏହା ପରେ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। କିନ୍ତୁ ଏହା ପରେ ବି ଗୃହ ଚାଲି ନ ପାରିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରାଯାଇଛି।

ପୂର୍ବରୁ ବରଗଡ଼ ଓ ରାୟଗଡ଼ାରେ  ବି ଚାଷୀମାନେ ଟମାଟୋ  ଅଭାବୀ ବିକ୍ରି ନେଇ ସମସ୍ୟାର ସମ୍ମୁଖୀନ ହୋଇଥିବା କଂଗ୍ରେସ ସଦସ୍ୟ କହିଥିଲେ। କେବଳ ଚାଷୀମାନେ ଟମାଟୋ ନୁହଁ ଅନ୍ୟ ପନିପରିବାର ଅଭାବୀ ବିକ୍ରୀକୁ ସାମ୍ନା କରୁଛି ବୋଲି ବିରୋଧୀ ଉଲ୍ଲେଖ କରିଥିଲେ।

ବିମୁଦ୍ରାକରଣ ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ବିରୋଧୀ ସଦସ୍ୟ ଦାବି କରିଥଲେ।

ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି,“ବିମୁଦ୍ରାକରଣର ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ଚାଷୀମାନେ ପନିପରିବାକୁ  ବିକ୍ରି  ନ କରିପାରି ଫୋପାଡି ଦେଉଛନ୍ତି। କେନ୍ଦୁଝରରେ ଚାଷୀମାନେ ଟ୍ରକ୍ ଟ୍ରକ୍ ଟମାଟୋ ଫୋପାଡି ଦେଇଛନ୍ତି। ବରଗଡ଼ରେ ମଧ୍ୟ ସେହି ସମ୍ମାନ ଅବସ୍ଥା ଦେଖିବାକୁ ମିଳିଛି। ଚାଷୀଙ୍କ ଦୁଃଖ ବୁଝିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରସ୍ତୁତି ନାହାନ୍ତି। ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରୁଛି।”

ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି,“ବିମୁଦ୍ରାକରଣ ଚାଷୀମାନଙ୍କ ଉପରେ ପ୍ରଭାବ ପକାଇଛି। ବଜାରରେ ବେପାରୀମାନେ ପଇସା ଅଭାବରୁ ଜିନିଷ  କଣି ପାରୁନାହାନ୍ତି। ଚଳିତବର୍ଷ ଅଧିକ ପନିପରିବା ଉତ୍ପାଦନ ହୋଇଛି।  ପନିପରିବା ଅଭାବୀ ବିକ୍ରି ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ”