ଆଶଙ୍କା କମୁଛି, ଆଶା ବଢ଼ୁଛି: ଅପରେସନ୍‌ର ୫ ଦିନ ପରେ ଡାକ ଶୁଣିଲା ଜଗା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟିବା ପରିଲକ୍ଷିତ ହେଉଛି। ଦୁଇ ଭାଇ ଆଉ ୭ରୁ ୧୦ ଦିନ ଆଇସିୟୁରେ ରହିବେ। ଜଗା-କାଳିଆ ନିଶ୍ୱାସ ଓ ପ୍ରଶ୍ୱାସ ଠିକ୍‌ ଭାବେ ନେଉଛନ୍ତି। ଦୀର୍ଘ ୫ ଦିନରେ ପରେ ଜଗାକୁ ଆଜି ଡାକିଲେ ସେ ପ୍ରତିକ୍ରିୟା ପ୍ରକାଶ କରିଛି। ୧୦-୧୫ ଦିନ ମଧ୍ୟରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରିବା ଆଶା କରାଯାଉଛି। ଉଭୟଙ୍କ ଉପରେ ୧୫ ଡାକ୍ତର ଅନବରତ ନିଘା ରଖିଛନ୍ତି। ଏନେଇ ଆଜି ଏମ୍‌ସ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି।

ଗତ ୨୫ ତାରିଖ ଭୋର ୫ଟାରେ ଜଗା-କାଳିଆଙ୍କୁ ନ୍ୟୁରୋ ସାଇନସ୍ ଓ୍ୱାର୍ଡରେ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ଅପରେସନ୍ ଆରମ୍ଭ ହୋଇଥିଲା। ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ନନ୍‌ଷ୍ଟପ୍‌ ସର୍ଜରୀରେ ଲାଗିଥିଲେ ଏକ୍ସପର୍ଟ ଡାକ୍ତରୀ ଟିମ୍। ଯେଉଁଥିରେ ସାମିଲ ଅଛନ୍ତି ନ୍ୟୁରୋ ସର୍ଜନଙ୍କ ସହ ପେଡିଆଟ୍ରିକ୍ ଓ କାର୍ଡିଓଲୋଜି ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର। ଦୀର୍ଘ ୧୮ ଘଣ୍ଟା ପରେ ଦୁଇ ଭାଇ ଅଲଗା ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।