ଉଠିବ ୨୦୧୩ ଗ୍ରାଣ୍ଟ୍-ଇନ୍-ଏଡ୍ ପଲିସି, ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ଅନୁଦାନ ନୀତି

anudanbaithaka
ମନ୍ତ୍ରୀସ୍ତରୀୟ ବୈଠକରେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟମାନେ

ଭୁବନେଶ୍ୱର: ବଦଳିବ ଅନୁଦାନ ନୀତି। ୨୦୧୩ର ଗ୍ରାଣ୍ଟ-ଇନ୍-ଏଡ୍ ପଲିସି ବଦଳରେ ନୂଆ ଅନୁଦାନ ନୀତି ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ। ଆଜି ମନ୍ତ୍ରୀସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆନ୍ଦୋଳନ ସ୍ଥଗିତ ରଖିଛି ଓଡ଼ିଶା ବିଦ୍ୟାଳୟ  ଶିକ୍ଷକ ମହାସଂଘ। ଏପଟେ ପୂର୍ଣ୍ଣ ଅନୁଦାନ ଦାବିରେ ଅଡ଼ି ବସିଛି ବ୍ଲକ୍ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ। ଫଳରେ ୪ ହଜାର ସ୍କୁଲର ତାଲା ଖୋଲିବାକୁ ଯାଉଥିବା ବେଳେ ଅନ୍ୟ ୨୨ଶହ ସ୍କୁଲରେ ପାଠପଢ଼ା କେବେ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି।

ଦେଢ଼ମାସ ଧରି ବନ୍ଦ ଥିବା ରାଜ୍ୟର ପ୍ରାୟ ୪ ହଜାର ସ୍କୁଲରେ ତାଲା ଖୋଲିବ। ଫଳରେ ପ୍ରାୟ ୬ ଲକ୍ଷ ପିଲାଙ୍କ ପାଠପଢ଼ା ସ୍ୱାଭାବିକ ଅବସ୍ଥାକୁ ଫେରିବ। ଆଜି ମନ୍ତ୍ରୀସ୍ତରୀୟ କମିଟି ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ନୂଆ ଗ୍ରାଣ୍ଟିନେଟ୍ ପଲିସି ଲାଗୁ କରିବେ। ୨୦୧୩ରେ ଲାଗୁ ହୋଇଥିବା ଗ୍ରାଣ୍ଟ-ଇନ-ଏଡ୍ ବା ଅନୁଦାନ ନୀତି ପରିବର୍ତ୍ତନ କରାଯିବ। ୨୦୧୬-୧୭ ଶିକ୍ଷା ବର୍ଷରେ ନୂଆ ଅନୁଦାନ ନୀତି ଲାଗୁ ହେବ। ସେହିପରି ଅନୁଦାନରୁ ବଂଚିତ ଥିବା ୩୯୯ଟି ହାଇସ୍କୁଲକୁ ବ୍ଲକଗ୍ରାଣ୍ଟ ଅନୁଦାନ ପାଇବା ନେଇ ଯୋଗ୍ୟ ବିବେଚିତ କରିଛନ୍ତି। ପୂର୍ଣ୍ଣ ଅନୁଦାନ ଦାବିରେ ଦେଢ଼ ମାସ ଧରି ରାଜ୍ୟର ୪ ହଜାର ସ୍କୁଲର ପ୍ରାୟ ୪୦ ହଜାର ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିଲେ।

ବ୍ଲକଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ କିନ୍ତୁ ନିଷ୍ପତ୍ତିରେ ସନ୍ତୁଷ୍ଟ ହୋଇନି। ପୂର୍ଣ୍ଣ ଅନୁଦାନ ଦାବିରେ ଅଡ଼ି ବସିଛି ସଂଘ। ଦାବିପୂରଣ ନହେବା ଯାଏଁ ସ୍କୁଲ ଖୋଲିବନି କି ପାଠପଢ଼ା ହେବନି ବୋଲି ସଂଘ ରୋକଠୋକ ଶୁଣାଇ ଦେଇଛି। ତା’ସହ ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପଦଯାତ୍ରା କରାଯିବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛି। ଏହି ସଂଘର ଆନ୍ଦୋଳନ ଯୋଗୁ ୨୨ଶହ ୯ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲରେ ପ୍ରାୟ ସାଢେ଼ ୩ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଇଛି।

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଅନ୍ୟ ୫ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ୫ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।