ନୂଆ ପରମ୍ପରା: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଇତିହାସରେ ସୃଷ୍ଟି ହେବାକୁ ଯାଉଛି ନୂଆ ପରମ୍ପରା। ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପରି ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଏହି ବୈଠକରେ କ’ଣ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏକର କାମଚଳା ନା ପୂର୍ଣ୍ଣାଙ୍ଗ ବଜେଟ୍ ହେବ ସେ ନେଇ ସବୁ ଦଳର ମତାମତ ନିଆଯାଇପାରେ। କେନ୍ଦ୍ରୀୟ ଯୋଜନା ବନ୍ଦ ଓ ଅନୁଦାନ ହ୍ରାସ ବଜେଟ୍ ପ୍ରସ୍ତୁତିରେ ସମସ୍ୟା ହୋଇଥିବା କୁହାଯାଇଛି। ଏଭଳି ସ୍ଥଳେ କାମଚଳା ନା ପୂର୍ଣ୍ଣାଙ୍ଗ ବଜେଟ୍ ହେବ ସେ ନେଇ ବିରୋଧୀଙ୍କ ମତାମତ ନିଆଯାଇପାରେ। ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପାଇଁ ଦଳ କରିଥିବା ଦାବିକୁ ସରକାର ଗ୍ରହଣ କରିଥିବା କଂଗ୍ରେସ କହିଛି।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ୮ଟି ଯୋଜନା ବନ୍ଦ କରି ଦେଲେ। ୩୩ଟି ଯୋଜନାରେ ଅନୁଦାନ ଯଥେଷ୍ଟ ମାତ୍ରାରେ ହ୍ରାସ କରି ଦେଇଛନ୍ତି। ଏଣୁ ରାଜ୍ୟ ସରକାରଙ୍କୁ ବଜେଟ୍ ପ୍ରସ୍ତୁତ କରିବାରେ କିଛିଟା ଅସୁବିଧା ହେଉଥିବ। ଆଜି ବସିବାକୁ ଥିବା ବୈଠକରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ ନା ପୂର୍ଣ୍ଣାଙ୍ଗ ବଜେଟ୍ ଅଣାଯିବ ସେ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇପାରେ।

ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ସର୍ବଦଳୀୟ ବୈଠକରେ ସରକାର ବିରୋଧୀ ଦଳଗୁଡ଼ିକର ପରାମର୍ଶ ଗ୍ରହଣ କରାଯିବା ଉଚିତ୍। ସରକାର ସେମିତି ନ କଲେ ତାହା ସର୍ବଦଳୀୟ ବୈଠକ ପ୍ରତି ଅବମାନନା ହେବ।