ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଭିମସାରର ଜୁନିୟର ଡାକ୍ତର: ଆନ୍ଦୋଳନର ପ୍ରତ୍ୟାହାର ସଂପର୍କରେ ଆସନ୍ତାକାଲି ନିଷ୍ପତ୍ତି

doctorଭୁବନେଶ୍ୱର: ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନା ନାହିଁ, ତାହା ଆସନ୍ତାକାଲି ନିଷ୍ପତ୍ତି  ନିଆଯିବ। ଆସନ୍ତାକାଲି ଜେନେରାଲ ବଡି ମିଟିଂ ପରେ ଏହି ନିଷ୍ପତ୍ତି ନିଆଯିବ ବୋଲି ସଂଘର ସଭାପତି ଡ. ଶଙ୍କର ରାମଚନ୍ଦାନି କହିଛନ୍ତି। ଆଜି ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଜୁନିୟର ଡାକ୍ତର ସଂଘ ପ୍ରତିନିଧି ଦଳର ଆଲୋଚନା ପରେ ସଭାପତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏକ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ସବୁ ଦାବି ପୂରଣ ହୋଇ ନାହିଁ। ଚାରିପାଞ୍ଚୋଟି ଦାବି ପୂରଣ ହୋଇଛି। ଆହୁରି ତିନିଚାରିଟି ବାକି ରହିଛି। ଏ ସବୁ ସଂପର୍କରେ ଆସନ୍ତାକାଲି ବୁର୍ଲାରେ ସଂଘର ଜେନେରାଲ ବଡି ମିଟିଂରେ ଆଲୋଚନା ହେବ। ତା’ପରେ ଯାଇଁ କୌଣସି ନିଷ୍ପତ୍ତି ନିଆଯିବ। ଆନ୍ଦୋଳନ ଏବେ ବି ଜାରି ରହିଛି। ଆନ୍ଦୋଳନ ବନ୍ଦ କରାଯିବ ନା ଚାଲୁ ରହିବ, ସେ ନେଇ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ।

ଡ. ଶଙ୍କର ରାମଚନ୍ଦାନି କହିଛନ୍ତି, ଡାକ୍ତରଖାନାରେ ଏମଆରଆଇ ପ୍ରତିଷ୍ଠା ପାଇଁ ଦାବି ହୋଇଥିଲା। ଏହି ଦାବି ପୂରଣ ନେଇ ସରକାର ଏକ ସମୟସୀମା ଦେଇଛନ୍ତି। କିନ୍ତୁ ଏହି ସମୟସୀମା ମଧ୍ୟରେ ସରକାର ଏମଆରଆଇ ସ୍ଥାପନ କରିବେ ବୋଲି ଦୃଢ଼ ଭାବେ ନିଶ୍ଚିତ କରି ନାହାନ୍ତି। ତେଣୁ ଏଥିପ୍ରତି ସନ୍ଦେହ ରହିଛି। ସେହିଭଳି ବୁର୍ଲା ମେଡିକାଲ୍ କଲେଜକୁ ପ୍ରଶାସନିକ ଓ ଅର୍ଥନୈତିକ କ୍ଷମତା ଦେବା ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ, ଯଦିଓ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହା ଯାଇପାରେ ବୋଲି କହିଛନ୍ତି। ଏଥିରେ କିଛି ଆଇନଗତ ସମସ୍ୟା ଅଛି ବୋଲି ସରକାର କହିଛନ୍ତି। ସେହିପରି ଆସନ୍ତାକାଲିଠାରୁ ମେଡିକାଲରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଆରମ୍ଭ କରାଯିବ ବୋଲି କୁହାଯାଇଛି। ୩୦ଟି ବେଡକୁ ନେଇ ଅସ୍ଥାୟୀ ଭାବେ ଆରମ୍ଭ କରିବାକୁ ସରକାର କହିଛନ୍ତି। ତେବେ ଏହା ପୂର୍ଣ୍ଣକାଳୀନ ସମାଧାନ ନୁହେଁ। ତେଣୁ ଏସବୁ ବିଷୟରେ ସଂଘର ଜେନେରାଲ୍ ବଡି ମିଟିଂରେ ଆଲୋଚନା କରାଯିବ। ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ସଂଘ ନିଷ୍ପତ୍ତି ନେବ।

ଆଜି ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ମେଡିକାଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନ ହୋଇଥିଲା। ସମସ୍ୟାଗୁଡ଼ିକର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ କେତେଗୁଡିଏ ସମୟସୀମା ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ଦରକାର। ତେବେ ଢାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେବେ କି ବୋଲି ପଚରା ଯିବାରେ ମନ୍ତ୍ରୀ ସିଧାସଳଖ କୌଣସି ଉତ୍ତର ଦେଇ ନ ଥିଲେ।

ଭିଏସ୍ଏସ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଭିତ୍ତିଭୂମିର ବିକାଶ ସହ ମୋଟ୍ ୯ ଦଫ। ଦାବିରେ ଜୁନିୟର ଡାକ୍ତରମାନେ ଗତ ୧୨ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି। ଦାବି ସଂପର୍କରେ ପୂର୍ବରୁ ଆରଡିସି ଓ ଗତକାଲି ସ୍ଥାନୀୟ ବିଧାୟିକା ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରି ନ ଥିଲା।