ୱାଗନ କାରଖାନା ସ୍ଥାନାନ୍ତର ପ୍ରସଙ୍ଗ: ବିଧାନସଭା ଗୃହ କମିଟି ରେଳମନ୍ତ୍ରୀଙ୍କୁ ଦେବ ସ୍ମାରକପତ୍ର

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲାରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ରେଳ ୱାଗନ ମରାମତି କାରଖାନା ସ୍ଥାନାନ୍ତର ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଧାନସଭା ଗୃହ କମିଟି ସ୍ମାରକପତ୍ର ଦେବ। ବିଧାନସଭାରେ ଦୁଇଦିନ ଧରି ଏ ନେଇ ହୋହାଲ୍ଲା, ହଟ୍ଟଗୋଳ ପରେ ଶେଷରେ ଏକ ମୋସନ ମାଧ୍ୟମରେ ଗୃହରେ ସରଗରମ ଆଲୋଚନା ହୋଇଥିଲା। ସ୍ୱତନ୍ତ୍ର ଆଲୋଚନାରେ ସର୍ବସମ୍ମତି କ୍ରମେ ଏ ନେଇ ପ୍ରସ୍ତାବ ଗୃହିତ ହୋଇଛି।

ଆଲୋଚନା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି ଗୃହରେ ଉତ୍ତର ରଖିଥିଲେ। ମନ୍ତ୍ରୀ କହିଥିଲେ, ୨୦୧୩ ଫେବୃୟାରୀ ୨୬ରେ କେନ୍ଦ୍ର ସରକାର ବଜେଟ୍‌ରେ କଳାହାଣ୍ଡିରେ ଏହି କାରଖାନା ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ହେଲେ ଏଥିପାଇଁ କିଛି ବ୍ୟୟବରାଦ ହୋଇ ନ ଥିଲା। ଉକ୍ତ ବର୍ଷ ଅକ୍ଟୋବର ୩୦ରେ ପୂର୍ବତଟ ରେଳବାଇ ଆବଶ୍ୟକ ହେଉଥିବା ୨ଲକ୍ଷ ଗ୍ୟାଲେନ୍‌ ଜଳ ବିନାମୂଲ୍ୟରେ ରାଜ୍ୟ ସରକାର ଯୋଗାଇ ଦେବେ କି ନାହିଁ ତାହା ଜାଣିବାକୁ ଚାହିଁ ଥିଲେ। ଜଳସମ୍ପଦ ବିଭାଗ ଏହାକୁ ଗୁରୁତ୍ୱର ସହ ବିଚାର କରି ଜଳକର ସମ୍ପୂର୍ଣ୍ଣ ଛାଡ଼ କରିବାକୁ ସେହିବର୍ଷ ୨୩ ଡିସେମ୍ବରରେ ରେଳ ବିଭାଗକୁ ଜଣାଇଥିଲେ।  କାରଖାନା ପାଇଁ ନର୍ଲା ରୋଡ ଷ୍ଟେସନ ନିକଟରେ ୧୧୪ ଏକର ଜମି ମଧ୍ୟ ଚିହ୍ନଟ କରାଯାଇଥିଲା। ୨୦୧୫-୧୬ ଆର୍ଥିକ ବଜେଟ୍‌ରେ ଓଡ଼ିଶା ସରକାରଙ୍କ ସହ ପରାମର୍ଶ ନ କରି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ କାରଖାନା ସ୍ଥାନାନ୍ତର ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ଡିସେମ୍ବର ୨ରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।”

ଗତକାଲି ପରି ଆଜି ମଧ୍ୟ ୱାଗନ କାରଖାନା ସ୍ଥାନାନ୍ତରକୁ ନେଇ ଗୃହ ସରଗରମ ରହିଥିଲା। ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଶାସକ ସଦସ୍ୟମାନେ ନିଜ ନିଜ ସ୍ଥାନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଥିବା ବିଜେଡି କହିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ବିଭିନ୍ନ ପ୍ରକଳ୍ପରେ ଓଡ଼ିଶା ପାଇଁ ଟଙ୍କା କାଟିବା ବିଜେପି ସରକାରର ଅଭ୍ୟାସ। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅନ୍ୟାୟ କରୁଛି। ମୁଖ୍ୟମନ୍ତ୍ରୀ ଜାଣିଶୁଣି ଚୁପ ରହି କେନ୍ଦ୍ର ଅବହେଳା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନେତୃତ୍ୱରେ କଳାହାଣ୍ଡିର ସବୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନର୍ଲାରେ କାରଖାନା କରାଯିବାକୁ କହିଥିଲେ। ଏହାସତ୍ତ୍ୱେ ରାଜ୍ୟ ସରକାର ଜମି ଚିହ୍ନଟ ଲାଗି କୌଣସି ପଦକ୍ଷେପ ନେଲେ ନାହିଁ। କାରଖାନାକୁ ନର୍ଲାରୁ ଗଞ୍ଜାମକୁ ସ୍ଥାନାନ୍ତର କରିବାକୁ କିଛି ଗୋଟେ ଷଡ଼ଯନ୍ତ୍ର ଚାଲିଛି।”

ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି, “ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ତେଲନଦୀ ଓ ଅନ୍ୟ ଜଳଉତ୍ସରୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର କହିଛନ୍ତି। ନର୍ଲାରେ କିମ୍ବା ଓଡ଼ିଶାର ଯେ କୌଣସି ସ୍ଥାନରେ ଏହି କାରଖାନା କରାଯାଉ। ଆବଶ୍ୟକ ପଡିଲେ ଦିଲ୍ଲୀ ଯାଇ ଦାବି ଉପସ୍ଥାପନ କରିବୁ।”