ବିଜେପୁର ବାଜିରେ ପରାଜୟ ପାଇଁ କିଏ ଦାୟୀ ? କାହାର ଆତ୍ମସମୀକ୍ଷା ଜରୁରୀ

ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପୁର ବାଜିରେ ବିଜେଡି ବାଜି ମାରିନେଲା ଏବଂ ବିଜେପି ବାଜି ହାରିଗଲା। କଂଗ୍ରେସ ତ’ ସତେ ଯେପରି ବାଜିରେ ନ ଥିଲା। ଏମିତି କି କଂଗ୍ରେସ ତ’ ବିକ୍ରି ହୋଇ ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।  ଏକଥା ଅନ୍ୟ କେହି କହିବା ଆବଶ୍ୟକ ନାହିଁ। ନିଜେ କଂଗ୍ରେସ ପ୍ରାର୍ଥୀ  କଂଗ୍ରେସର କିଛି ବରିଷ୍ଠ ନେତା ଯାହା ସବୁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ। କିନ୍ତୁ ସେ ଯାହା ହେଉ, କଂଗ୍ରେସ ପିସିସି ସଭାପତି ନିଜ […]

bjp-4

bjp-4

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 08:34 PM IST

ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପୁର ବାଜିରେ ବିଜେଡି ବାଜି ମାରିନେଲା ଏବଂ ବିଜେପି ବାଜି ହାରିଗଲା। କଂଗ୍ରେସ ତ' ସତେ ଯେପରି ବାଜିରେ ନ ଥିଲା। ଏମିତି କି କଂଗ୍ରେସ ତ' ବିକ୍ରି ହୋଇ ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।  ଏକଥା ଅନ୍ୟ କେହି କହିବା ଆବଶ୍ୟକ ନାହିଁ। ନିଜେ କଂଗ୍ରେସ ପ୍ରାର୍ଥୀ  କଂଗ୍ରେସର କିଛି ବରିଷ୍ଠ ନେତା ଯାହା ସବୁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ।

କିନ୍ତୁ ସେ ଯାହା ହେଉ, କଂଗ୍ରେସ ପିସିସି ସଭାପତି ନିଜ ମୁଣ୍ଡକୁ ଦୋଷ ନେଇ ଇସ୍ତଫା ଦେଇଛନ୍ତି। କିନ୍ତୁ ବିଜେପିରେ? ବିଜେପିରେ କୁଆଡେ କେହି ଦାୟୀ ନୁହଁ। ଇସ୍ତଫା କଥା ବହୁ ଦୂରରେ,କେହି ନିଜ ମୁଣ୍ଡକୁ ଦୋଷ ମଧ୍ୟ ନେଇ ନାହାଁନ୍ତି। ଗତ ବିଧାନସଭା ନିର୍ବାଚନ ଠାରୁ ଭଲ କରିଛନ୍ତି କହି ନିଜ ପିଠି ନିଜେ ଥାପୁଡ଼େଇବା ସହ କ'ଣ ସମୀକ୍ଷା କଥା କହୁଛନ୍ତି। ଯେତେବେଳେ କି ବିଜେଡିରେ ନବୀନଙ୍କ ଭାବମୂର୍ତ୍ତିକୁ ଆୟୁଧ୍ୟ କରାଯାଇଥିବା ବେଳେ ବିଜେପିରେ ସବୁ ଗୋଟି ଚାଳନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରୁଥିଲେ। ପାର୍ଥୀ ଚୟନ ଠାରୁ ଆରମ୍ଭ କରି ସବୁ କିଛି ଧର୍ମେନ୍ଦ୍ରଙ୍କ ଇଶାରାରେ ହିଁ ହେଉଥିଲା। ବସନ୍ତ ପଣ୍ଡା ସଭାପତି ହିସାବରେ ଯାହା ବି କରୁଥିଲେ, ଯାହା ବି କହୁଥିଲେ ସବୁ ସତେ ଯେପରି ରିମୋଟ କଣ୍ଟ୍ରୋଲରେ ପରିଚାଳିତ ହେଉଥିଲା। ସେ ରିମୋଟ ଧର୍ମେନ୍ଦ୍ରଙ୍କ ହାତରେ ଥିଲା। ଓଡ଼ିଶାର ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସହାୟ ଜଣା ପଡୁଥିଲେ।

ସତେ ଯେପରି ସେ ଓଡିଶାର ନୁହଁନ୍ତି, ବରଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପରି ସେ ବି ଯେପରି ନିମନ୍ତ୍ରିତ ହୋଇ ଆସିଥିଲେ କେବଳ ପ୍ରଚାର ପାଇଁ। ଯେତେବେଳେ କି ମୋଦିଙ୍କ ହାତ ମଜଭୁତ୍‌ କରିବାରେ ଓଡ଼ିଶାର ଏକ ମାତ୍ର ସାଂସଦ ଭାବରେ ସେ ହିଁ ଜିତିଛନ୍ତି। କେବଳ ବିଜେପୁର ନିର୍ବାଚନ ସମୟରେ ନୁହେଁ,ଓଡ଼ିଶାରେ ବିଜେପି ପକ୍ଷରୁ କିଛି ଦିନ ହେଲା ଧର୍ମେନ୍ଦ୍ରଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଯାଉଛି। ବିଜେପିରେ ସବୁ ବଡ଼ ନିଷ୍ପତି କେନ୍ଦ୍ରୀୟ ପାର୍ଲିଆମେଣ୍ଟ କମିଟି ନେଇଥାଏ। କେନ୍ଦ୍ରୀୟ ପାର୍ଲିଆମେଣ୍ଟ କମିଟି ପକ୍ଷରୁ କିମ୍ବା ମୋଦିଙ୍କ ପକ୍ଷରୁ ନା ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପକ୍ଷରୁ ଓଡ଼ିଶାରେ କାହାକୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଘୋଷଣା କରାଯାଇନି।

ଏମିତିରେ ବିଜେପି ଖୁବ୍ କମ ରାଜ୍ୟରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। କେବଳ ବିକାଶ ଏବଂ ମୋଦିଙ୍କ ଚେହେରା ନେଇ ନିର୍ବାଚନ ଲଢାଯାଉଛି। ସଫଳତା ବି ମିଳୁଛି। ଦିଲ୍ଲୀ ପରି ସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା ରଖି ଓଲଟି ବିଜେପି ପରାଜିତ ହୋଇଛି। ହିମାଚଳ ପ୍ରଦେଶରେ ତ' ଦଳ ବହୁମତରେ ଜିତିଥିବା ବେଳେ ସେଠାକାର ଚେହେରା ନିଜେ ହାରି ଯାଇଛନ୍ତି। ସଙ୍ଗଠନ ମଜଭୁତ ଥିବା ଅନେକ ରାଜ୍ୟରେ ମଧ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରାଯାଇ ନାହିଁ। କିନ୍ତୁ ଏ ସବୁ ଠାରୁ ସତେ ଯେପରି ଓଡ଼ିଶା ଭିନ୍ନ। ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେପିର ଏକ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଉଛନ୍ତି। ବାସ୍ତବରେ ନିଜେ ଧର୍ମେନ୍ଦ୍ର ଏକ ଗୋଷ୍ଠୀକୁ ଧରି ନିଜ ସପକ୍ଷରେ ଏପରି କରାଉଛନ୍ତି। ରାଷ୍ଟ୍ରୀୟ ସଭାପତି ଆସି ମିଶନ ୧୨୦ କଥା କହିଲେ। କିନ୍ତୁ ତା' ପୂର୍ବରୁ ଏପରି କିଛି କଥା ଓଡ଼ିଶା ବିଜେପି ନେତାଙ୍କ ଠାରୁ ଶୁଣିବାକୁ ମିଳୁ ନ ଥିଲା।

ଅମିତ ଶାହା ମିଶନ ୧୨୦ କଥା କହି ଯିବା ପରେ କିଛି ଦିନ ପରେ ଯାହା କୁ ତାହା। ସେଇ ନାରା କେନ୍ଦ୍ରରେ ନରେନ୍ଦ୍ର,ରାଜ୍ୟରେ ଧର୍ମେନ୍ଦ୍ର। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏନେଇ ଏକ ଗୋଷ୍ଠୀ ସବୁବେଳେ କାମ କରୁଛନ୍ତି। ନିଜ ଅଞ୍ଚଳରେ ପ୍ରଭାବଶୁନ୍ୟ ଥିବା ତଥା ନିଜ ଅଞ୍ଚଳରେ ବିଜେଡି ବିଧାୟକ କିମ୍ବା ସାଂସଦଙ୍କ ବିରୋଧରେ ପଦୁଟିଏ ପାଟି ଖୋଲୁ ନ ଥିବା କେତେକ ନେତା ଚାଟୁକାରୀ କରି କିଛି ଗୋଟେ ପଦବି  ମାଡ଼ି ବସିଛନ୍ତି। ବିଜେପି ଦଳରେ ସାଙ୍ଗଠନିକ ପଦବୀ ନୁହେଁ ସାଙ୍ଗଠନିକ ଦାୟିତ୍ୱ କୁହାଯାଇଥାଏ।କିନ୍ତୁ ଏମାନେ କେତେ ଜଣ ଦାୟିତ୍ୱକୁ ପଦବି ମାନି ବସିଛନ୍ତି। ଚାଟୁକାରି,ଅହଂକାର, ଗୋଷ୍ଠୀ ବାଦ ଆଦି ଓଡ଼ିଶା ବିଜେପିକୁ ଧୀରେ ଧୀରେ ଗ୍ରାସ କରି ଏବେ ପୂରା ଗିଳିବାକୁ ବସିଲାଣି।  ବିଜେପି ସଫଳତା ପାଉଥିବା ରାଜ୍ୟ ମାନଙ୍କରେ ସାଧାରଣତଃ ଯୁବ ମୋର୍ଚ୍ଚାକୁ ଅଧିକ ସକ୍ରିୟ ଦେଖାଯାଏ। ଯୁବ ମୋର୍ଚ୍ଚା ହିଁ ସବୁ ଜାଗାରେ ବିପକ୍ଷକୁ ଆକ୍ରମଣ କରେ।  ଆନ୍ଦୋଳନ କରେ। କିନ୍ତୁ ଓଡ଼ିଶାରେ ତା’ର ବ୍ୟତିକ୍ରମ।

ଓଡ଼ିଶାରେ ବୋଧେ ବିଭିନ୍ନ ମୋର୍ଚ୍ଚା ମଧ୍ୟରେ ଯୁବ ମୋର୍ଚ୍ଚା ହିଁ ସବୁଠୁ ଦୁର୍ବଳ। ରାଜ୍ୟ ଯୁବ ମୋର୍ଚ୍ଚା ପକ୍ଷରୁ ସେମିତି କିଛି ଆନ୍ଦୋଳନ ଦେଖିବାକୁ ମିଳେନି। ରାଜ୍ୟରେ ଯୁବ ମୋର୍ଚ୍ଚା ଦାୟିତ୍ୱରେ କିଏ କିଏ ଅଛି ଏବଂ ବିଭିନ୍ନ ଜିଲ୍ଲା ମାନଙ୍କରେ ମଧ୍ୟ ଯୁବ ମୋର୍ଚ୍ଚା ଦାୟିତ୍ୱରେ କିଏ ଅଛି ତାହା ଅନେକ କାର୍ଯ୍ୟକର୍ତ୍ତା ପ୍ରାୟ ଜାଣନ୍ତି ନାହିଁ। ମଝିରେ ମହିଳା ମୋର୍ଚ୍ଚା ଏବଂ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ କିଛିଟା ଆନ୍ଦୋଳନ ଦେଖା ଦେଇଥିଲା।

ନଚେତ ବାକି ସବୁ ରାଜ୍ୟ କାର୍ଯ୍ୟାଳୟ, କ୍ୟାମେରା ସାମ୍ନା ଏବଂ ସୋସିଆଲ ମିଡିଆରେ ଭାବି ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଚାର କରିବାରେ ବ୍ୟସ୍ତ।  ଏହି ପ୍ରତିକ୍ରିୟା ବିଜେପୁର ନିର୍ବାଚନରେ ବି ଦେଖିବାକୁ ମିଳିଲା।

ସବୁ କିଛି ଧର୍ମେନ୍ଦ୍ର କଣ୍ଟ୍ରୋଲ କରୁଥିଲେ। ନିର୍ବାଚନ ସମୟରେ ବିଜେପିର ଏହି ଗୋଷ୍ଠୀ ନବୀନଙ୍କ ଅପାରଗତା ସହ ମୋଦିଙ୍କ ବିକାଶ କଥା ଯେତିକି କହିଲେ ଧର୍ମେନ୍ଦ୍ରଙ୍କୁ ଅଧିକ ପ୍ରଚାରିତ କରାଇଲେ। ଜୁଏଲ ଓରାମ ନିର୍ବାଚନ ପ୍ରଚାରରେ ଯିବା ସେମାନଙ୍କ ପାଇଁ ସାଧାରଣ ଥିଲା। କିନ୍ତୁ ଧର୍ମେନ୍ଦ୍ର ପ୍ରଚାର ପାଇଁ ଯିବା ଦିନର କାର୍ଯ୍ୟସୂଚୀ ଗୁରୁତ୍ୱ ସହ ପ୍ରଚାର କରାଗଲା।

ଗୋଟେ ପ୍ରକାର ଦେଖିବାକୁ ଗଲେ ବିଜେଡି ଯେପରି ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ନେଇ ଲଢ଼ୁଥିଲା । ବିଜେପି ପକ୍ଷରୁ ନବୀନଙ୍କ ବିକଳ୍ପ ଭାବରେ ଧର୍ମେନ୍ଦ୍ରଙ୍କୁ ରଖାଗଲା। ବିଜେଡି ହାରିଥିଲେ ନବୀନଙ୍କ ଲୋକ ପ୍ରିୟତା କମିଛି ଏବଂ ଦେଶରେ ନରେନ୍ଦ୍ର ରାଜ୍ୟରେ ଧର୍ମେନ୍ଦ୍ରର ଚିତ୍କାର ଜୋରଦାର ଶୁଭି ଥାଆନ୍ତା।  କିନ୍ତୁ ଏବେ ଶୁଣାଗଲାଣି ସମୀକ୍ଷା ହେବ। କି ସମୀକ୍ଷା? କାହାର ସମୀକ୍ଷା? କିଏ କରିବ ସମୀକ୍ଷା? ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଉପ ନିର୍ବାଚନରେ ଶୋଚନୀୟ ପରାଜୟ ହୋଇ ଦ୍ୱିତୀୟରେ ରହିବା ପରେ ଜନତା କୁଆଡେ ମୁଖ୍ୟ ବିରୋଧୀ ଦଳ ରୂପେ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ ୨୦୧୯ ନିର୍ବାଚନରେ ବିଜେପି ଯଦି ମୁଖ୍ୟ ବିରୋଧୀ ଦଳ ହୁଏ ତେବେ ଧର୍ମେନ୍ଦ୍ର କ'ଣ ବିରୋଧୀ ଦଳ ନେତା ହେବାକୁ ପସନ୍ଦ କରିବେ ନା କେନ୍ଦ୍ରମନ୍ତ୍ରୀ ରହିବାକୁ ଇଚ୍ଛା କରିବେ? ଓଡିଶା ବିଜେପିରେ ଗୋଷ୍ଠୀକନ୍ଦଳ, ପୁରୁଣା କର୍ମୀଙ୍କୁ ଅବହେଳା, ବିଶୃଙ୍ଖଳା , ଅଯଥା ଅହଂକାର, ବିଫଳ ରଣନୀତି ଓ ସର୍ବୋପରି ସାଂଗଠନିକ ଦୁର୍ବଳତା ବିଜେପି ପାଇଁ କାଳ ହୋଇଛି। ବିଜେପୁରରେ ୨୦୧୪ ନିର୍ବାଚନରେ ପ୍ରାୟ ୩୦,୦୦୦ ଭୋଟ ପାଇ ବିଜେପି ୩ୟ ସ୍ଥାନରେ ଥିଲା। କିନ୍ତୁ ଏହି ଉପ ନିର୍ବାଚନରେ ପ୍ରାୟ ୬୦,୦୦୦ ଭୋଟ ପାଇ ୨ୟ ସ୍ଥାନକୁ ଆସିଲା କହି ନିଜକୁ ନିଜେ ଶାନ୍ତ୍ୱନା  ଦେଉଛି ବିଜେପି। କିନ୍ତୁ ଆଉ ଗୋଟେ ଦିଗକୁ ବୋଧେ ଭୁଲି ଯାଉଛି ଓଡ଼ିଶା ବିଜେପି। ବରଗଡ଼ ଲୋକସଭା ଆସନ ପାଇଁ ୨୦୧୪ ନିର୍ବାଚନରେ ବିଜେପି ବିଜେପୁରରୁ ପ୍ରାୟ ୫୪,୦୦୦ ଭୋଟ ପାଇଥିଲା।  ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପୁରରୁ ପ୍ରାୟ ୯୨,୦୦୦ ଭୋଟ ପାଇଥିଲା। ତା’ର ତୁଳନାତ୍ମକ ଭାବରେ ଏ ଉପ-ନିର୍ବାଚନରେ ୬୦,୦୦୦ ଭୋଟ ପାଇ ବିଜେପି କେତେ ଯେ ସଫଳତା ପାଇଲା ଏବଂ ଏଥିପାଇଁ କିଏ ଦାୟୀ ତା’ର ସମୀକ୍ଷା ତ' ନୁହେଁ ଆତ୍ମ ସମୀକ୍ଷା ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos