ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭତ୍ତା ବଢ଼ାଅ: କେନ୍ଦ୍ର ପାଖରେ ଦାବି ଜଣାଇଲେ ନବୀନ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଓଡ଼ିଶା ଭବନରେ ଭେଟିଥିଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧୀ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷ କରି ରାଜ୍ୟରେ ଅପପୁଷ୍ଟି ନିରାକରଣ ଏବଂ ମହିଳା ଓ ଶିଶୁଙ୍କ ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି, ସେ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହି ସାକ୍ଷାତ ଆଲୋଚନା ପରେ ନବୀନ କହିଥିଲେ,“ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭତ୍ତା ବୃଦ୍ଧି କରିବା ପାଇଁ ମୁଁ ମାନେକା ଗାନ୍ଧୀଙ୍କ ନିକଟରେ ଦାବି କରିଛି। ୧୫୦ରୁ କମ୍ ଲୋକ ଥିବା ପଡ଼ାଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ମଧ୍ୟ ଦାବି ଜଣାଇଛି। ଏହାସହ ୩୩୮୫ ଅଙ୍ଗନବାଡ଼ି କେନ୍ଦ୍ର କୋଠା ପାଇଁ ୨୫୦କୋଟି ଟଙ୍କା ଦାବି କରିଛି।”

ନବୀନ କହିଛନ୍ତି,“ରାଜ୍ୟରେ ଜୁଭେନାଇଲ ଜଷ୍ଟିସ ଏକାଡେମୀ ପାଇଁ ଦାବି କରିଛି। ମାନେକା ମୋର ଦାବି ପ୍ରତି ସକାରାତ୍ମକ ଆଭିମୁଖ୍ୟ ପ୍ରକଟ କରିଛନ୍ତି।”