ଆଜି କଟକ ମେୟର ନିର୍ବାଚନ

କଟକ: ଆଜି କଟକ ମେୟର ନିର୍ବାଚନ। ଏଥିପାଇଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ। ୧୨ଟାରୁ ଗୋଟାଏ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ, ଦିନ ଗୋଟାଏରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ସାଢେ ଗୋଟାଏରେ ଭୋଟ ଗ୍ରହଣ କରାଯିବ। ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି, ତେବେ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁ ରହିବ। ଏ ନେଇ ଗତ ୧୪ ତାରିଖରୁ ସିଏମସିର ସମସ୍ତ ୫୮ ଜଣ କର୍ପୋରେଟରଙ୍କୁ ନୋଟିସ ଜାରି କରାଯାଇଛି। ମ୍ୟୁନିସିପାଲ ଆଡମିନିଷ୍ଟ୍ରସନ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି।

ଗୁରୁବାର ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ କଟକର ତିନି ବିଧାୟକ ଆଲୋଚନା କରିଥିଲେ। ନିର୍ବାଚନ ବେଳେ ମନ୍ତ୍ରୀ ଉଷା ଦେବୀ ପର୍ଯ୍ୟବେକ୍ଷକ ରହିବେ ବୋଲି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି।

ମେୟର ନିର୍ବାଚନ ପୂର୍ବରୁ ୨୧ ନମ୍ୱର ୱାର୍ଡରେ କର୍ପୋରେଟର ନିର୍ବାଚନ କରାଇବା ନେଇ ଦାୟର ମାମଲାକୁ ଗତକାଲି ହାଇକୋର୍ଟ ଖାରଜ କରିଦେଇଥିଲେ। ୨୧ ନମ୍ୱର ୱାର୍ଡର ଆଶାୟୀ କର୍ପୋରେଟର ପ୍ରାର୍ଥୀ କନକଲତା ନାଏକ ଏହି ମାମଲା ରୁଜୁ କରିଥିଲେ। କର୍ପୋରେଟର ପଦ ଖାଲିଥିବା ବେଳେ ମେୟର ନିର୍ବାଚନ କରାଗଲେ ଏହା ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନର ଉଲ୍ଲଂଘନ ହେବ ବୋଲି ସେ ଦର୍ଶାଇଥିଲେ।